‘ଆମେ ବହୁତ ଭଲ ଲୋକ…’, ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଆସିବାକୁ ଭାରତକୁ ଅନୁରୋଧ କଲେ ସୋଏବ ମଲିକ

ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଆସିବାକୁ ଭାରତୀୟ ଦଳକୁ ଅନୁରୋଧ କରିଛନ୍ତି ପାକ୍ ଟିମ୍ର ପୂର୍ବତନ ଅଧିନାୟକ ସୋଏବ ମଲିକ । ୨୦୧୩ ପରଠାରୁ ଭାରତ ଓ ପାକିସ୍ତାନ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳି ନାହାନ୍ତି, କାରଣ ଦୁଇ ଦେଶ ମଧ୍ୟରେ ସୀମା ଏବଂ ରାଜନୈତିକ ତିକ୍ତତା ଲାଗି ରହିଛି ।
ପ୍ରମୁଖ ଆଇସିସି ଟୁର୍ନାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜୋର୍ଦାର ଟକ୍କର ହୋଇଛି । ଏଥର ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଆୟୋଜନ କରୁଛି । କିନ୍ତୁ ଦୁଇ ଦେଶ ମଧ୍ୟରେ ସୀମା ଏବଂ ରାଜନୈତିକ ତିକ୍ତତାକୁ ନଜରରେ ରଖି ଭାରତୀୟ ଦଳ ପାକିସ୍ତାନ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।
ଅନେକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବ ନାହିଁ । ବର୍ତ୍ତମାନ ସୋଏବ ମଲିକ ଭାରତୀୟ ଦଳକୁ ପାକିସ୍ତାନ ଆସିବାକୁ ଅନୁରୋଧ କରିବା ସହ ରାଜନୀତିକୁ କ୍ରୀଡ଼ାଠାରୁ ଦୂରରେ ରଖିବାକୁ ପରାମର୍ଶ ଦେଇଛନ୍ତି ।
ମଲିକ କ୍ରିକେଟ୍ ପାକିସ୍ତାନ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ‘ପାକିସ୍ତାନ ଦଳ ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଭାରତ ଯାତ୍ରା କରିଥିଲା । ଏବେ ଟିମ୍ ଇଣ୍ଡିଆର ପାଳି । ସେମାନେ ଏହି ବିଶ୍ୱାସକୁ ବଜାୟ ରଖିବେ’ ।
‘ଦୁଇ ଦେଶ ମଧ୍ୟରେ ଯାହା ବି ମତଭେଦ ରହିଛି, ତାହା ଏକ ଅଲଗା ପ୍ରସଙ୍ଗ ଏବଂ ଏହାକୁ ପୃଥକ ଭାବରେ ସମାଧାନ କରାଯିବା ଉଚିତ । ଖେଳରେ ରାଜନୀତି ପଶିବା ଉଚିତ୍ ନୁହେଁ । ଗତ ବର୍ଷ ପାକିସ୍ତାନ ଦଳ ଭାରତ ଯାଇଥିଲା । ବର୍ତ୍ତମାନ ଭାରତୀୟ ଦଳ ପାଇଁ ଏହା ଏକ ଉତ୍ତମ ସୁଯୋଗ’ ।
ସୋଏବ ମଲିକ କହିଛନ୍ତି, ‘ମୋତେ ଲାଗୁଛି ଯେ ଭାରତୀୟ ଦଳରେ ଏମିତି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ପାକିସ୍ତାନରେ ଖେଳି ନାହାନ୍ତି । ଏହା ସେମାନଙ୍କ ପାଇଁ ବହୁତ ଭଲ ସୁଯୋଗ ହେବ । ଆମେ ବହୁତ ଭଲ ଲୋକ । ଆମେ ଭଲ ଅତିଥି ସତ୍କାର କରିଥାଉ । ତେଣୁ ମୁଁ ନିଶ୍ଚିତ ଯେ ଭାରତୀୟ ଦଳ ନିଶ୍ଚୟ ଆସିବେ’।