ଏସିଆନ୍‌ ଗେମ୍‌ସରେ ସିନ୍ଧୁଙ୍କୁ ରୌପ୍ୟ ପଦକ

ନୂଆଦିଲ୍ଲୀ : ଫାଇନାଲରେ ସ୍ବର୍ଣ୍ଣ ପଦକରୁ ହାରିଲେ ପି.ଭି. ସିନ୍ଧୁ । ତାଇପେଇର ତାଇ ଜୁଇଙ୍ଗଙ୍କଠାରୁ ପରାସ୍ତ ହୋଇଛନ୍ତି ପି. ଭି. ସିନ୍ଧୁ । ଫଳରେ ସିନ୍ଧୁଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଫାଇନାଲରେ ପ୍ରଥମ ସେଟ୍‌ରେ ୧୩-୨୧ରେ ହାରିବା ପରେ ଦ୍ୱିତୀୟ ସେଟ୍‌ରେ ମଧ୍ୟ ୧୬-୨୧ରେ ହାରିଥିଲେ ସିନ୍ଧୁ ।

ଗତକାଲି ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଜାପାନର ୟାମାଗୁଚିଙ୍କୁ ହରାଇଥିଲେ । ଫାଇନାଲ୍‌ ମୁକାବିଲାରେ ଆଜି ତାଇପେଇର ତାଇ ଜୁଇଙ୍ଗଙ୍କ ସହ ସ୍ୱର୍ଣ୍ଣ ଲଢେଇ କରିଥିଲେ ସିନ୍ଧୁ । ଏସିଆଡ୍‌ ଫାଇନାଲ୍‌ରେ ପହଞ୍ଚିଥିବା ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ହୋଇଛନ୍ତି ସିନ୍ଧୁ । ପୂର୍ବରୁ କୌଣସି ପୁରୁଷ କିମ୍ବା ମହିଳା ଭାରତୀୟ ଖେଳାଳି ଏସିଆନ୍‌ ଗେମ୍ସ ଫାଇନାଲ୍‌କୁ ଯାଇ ନାହାନ୍ତି । ଚଳିତବର୍ଷ ପି. ଭି. ସିନ୍ଧୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ ।