ଆଇସିସି ରାଙ୍କିଂ : ଦିନିକିଆ ଓ ଟି୨୦ ବ୍ୟାଟିଂ ରାଙ୍କିଂ ଟପ୍-୩ରେ ସ୍ମୃତି ମନ୍ଧାନା, ସବୁଠାରୁ ଅଧିକ ଅର୍ଦ୍ଧଶତକ କରିଥିବା ଖେଳାଳି
ଭାରତୀୟ ମହିଳା ଦଳର ଉପ ଅଧିନାୟକ ସ୍ମୃତି ମନ୍ଧାନା ଜବରଦସ୍ତ ଫର୍ମରେ ରହିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜରେ ଦମଦାର ବ୍ୟାଟିଂ କରି ଆଇସିସି ଉଭୟ ଦିନିକିଆ ଓ ଟି-୨୦ ବ୍ୟାଟିଂ ରାଙ୍କିଂର ଟପ୍ ୩ରେ ରହିଛନ୍ତି । ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଂରେ ମନ୍ଧାନା ୩ଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି ।
ସେହିପରି ଟି-୨୦ ବ୍ୟାଟିଂ ରାଙ୍କିଂରେ ସେ ଗୋଟିଏ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନ ଦଖଲ କରିଛନ୍ତି । ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ରାଙ୍କିଂରେ ଏପରି ଫାଇଦା ମିଳିଛି ।
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚ୍ ପର୍ଥରେ ଖେଳା ଯାଉଥିବା ବେଳେ ମନ୍ଧାନା ୧୦୫ ରନର ଇନିଂସ ଖେଳିଥିଲେ । ସେହିପରି ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ପ୍ରଥମ ଟି-୨୦ରେ ସ୍ମୃତି ମନ୍ଧାନାଙ୍କ ୫୪ ରନ କରିଥିଲେ ।
ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଂର ଟପ୍ ୧୦ରେ ମନ୍ଧାନା ଏକମାତ୍ର ଭାରତୀୟ । ଅଧିନାୟକ ହରମନପ୍ରୀତ କୌର ୨ଟି ସ୍ଥାନ ତଳକୁ ଖସି ୧୩ରେ ପହଞ୍ଚିଥିବା ବେଳେ ଜେମିମା ରୋଡ୍ରିଗସ ୬ଟି ସ୍ଥାନ ଉପରକୁ ଉଠି ରାଙ୍କିଂର ୧୫ତମ ସ୍ଥାନ ଦଖଲ କରିଛନ୍ତି । ପୂର୍ବ ଭଳି ଦକ୍ଷିଣ ଆଫ୍ରିକାର ଲାଉରା ୱଲଭାର୍ଡଟ ୧ନଂ ସ୍ଥାନରେ ରହିଛନ୍ତି । ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ କୌର ୬୪୧ ପଏଣ୍ଟ ସହ ୧୦ନମ୍ବର ସ୍ଥାନରେ ଅଛନ୍ତି ।
ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟି୨୦ ମ୍ୟାଚରେ ସ୍ମୃତି ମନ୍ଧାନା ହରମନପ୍ରୀତଙ୍କ ସ୍ଥାନରେ ଅଧିନାୟକ ପଦବୀ ସମ୍ଭାଳିଥିଲେ । ସେ ୪୧ ବଲରେ ୬୨ ରନ୍ କରିଥିଲେ । ଏଥିରେ ୯ଟି ଚଉକା ଏବଂ ଗୋଟିଏ ଛକା ସାମିଲ ରହିଛି । ମହିଳା ଟି୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ୨୯ତମ ଅର୍ଦ୍ଧଶତକ ମାରିଥିଲେ । ଏହାସହିତ ଟି୨୦ଇଣ୍ଟରନ୍ୟାସନାଲ କ୍ରିକେଟରେ ସବୁଠାରୁ ଅଧିକ ଅର୍ଦ୍ଧଶତକ ମାରିଥିବା ଖେଳାଳି ।
୨୮ ବର୍ଷୀୟ ସ୍ମୃତି ମନ୍ଧାନା ୨୦୧୩ରେ ଭାରତୀୟ ଟିମ ପାଇଁ ଟି୨୦ ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିଥିଲେ । ସେ ଏପର୍ଯ୍ୟନ୍ତ ୧୪୭ ଟି୨୦ ଖେଳିଥିବା ବେଳେ ୩୬୮୪ ରନ୍ କରିଛନ୍ତି । ମହିଳା ଟି ୨୦ ଇଣ୍ଟରନ୍ୟାସନାଲରେ ଦ୍ବିତୀୟ ସବୁଠାରୁ ଅଧିକ ରନ କରିଥିବା ଖେଳାଳି ।