ଭାରତ ଏବଂ ସାଉଥ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ ବେଳେ ପଡିଆକୁ ପଶିଲା ସାପ, ୧୦ ମିନିଟ୍‌ ପାଇଁ ହୋଇଥିଲା ମ୍ୟାଚ୍‌ ବନ୍ଦ

ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ସମୟରେ ପଡିଆରେ ପଶି ଯାଇଥିଲା ବଡ ସାପ। ଗୌହ୍ଵାଟୀର ବରସାପାରା କ୍ରିକେଟ ଷ୍ଟାଡୟମରେ ମ୍ୟାଚ୍‌ ଚାଲିଥିବା ବେଳେ ହଠାତ୍‌ ପଡିଆ ମଝିକୁ ଏକ ବଡ ସାପ ପଶିଆସିଥିଲା। ସାପକୁ ହଠାତ୍‌ ଦେଖି ଖେଳାଳି ଡରିଯାଇଥିଲେ। ଏଥିପାଇଁ ଖେଳକୁ ମଝିରୁ ୧୦ ମିନିଟ୍‌ ପାଇଁ ରୋକିବାକୁ ପଡିଥିଲା।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୌହ୍ଵାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଚାଲିଥିଲା। ଭାରତ ବ୍ୟାଟିଂ କରୁଥିବା ସମୟରେ ପଡିଆ ମଝିକୁ ଏକ ବଡ ସାପ ପଶିଆସିଥିଲା।। ଯେଉଁଥିପାଇଁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଖେଳ ରୋକିବାକୁ ପଡିଥିଲା। ସେହି ସମୟରେ ରୋହିତ ଶର୍ମା ଏବଂ କେଏଲ ରାହୁଲ କ୍ରିଜରେ ବ୍ୟାଟିଂ କରୁଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେବାକୁ ଲାଗିଥିଲା।

ଏହାପରେ ଗୌହ୍ଵାଟୀର ବରସାପାରା କ୍ରିକେଟ ଷ୍ଟାଡିୟମର କର୍ମୀ ଆସି ସାପକୁ ବାହାରକୁ ନେଇଥିଲେ। ଏହି ସମୟରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ଖେଳ ରୋକିବାକୁ ପଡିଥିଲା। ଏହି ସମୟରେ କେଏଲ ରାହୁଲ ୧୫ ବଲରେ ୩୩ ରନ୍‌ ଏବଂ ରୋହିତ ଶର୍ମା ୨୭ ବଲରେ ୩୧ ରନ୍‌ କରିଥିଲେ।

ସୂଚନାଯୋଗ୍ୟ, ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ୧୬ ରନରେ ଜିତିଛି ଭାରତ। ଏହାସହିତ ଟି-୨୦ ସିରିଜ ଉପରେ ମଧ୍ୟ କବଜା କରିଛି। ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ତେବେ ଭାରତ ବ୍ୟାଟିଂ କରି ୨୩୭ ରନ୍‌ର ବିଶାଳ ସ୍କୋର କରିଥିଲା। ଭାରତ ମାତ୍ର ୩ ଓ୍ଵିକେଟ ହରାଇ ବିଶାଳ ସ୍କୋର କରିଥିଲା। ତେବେ ଭାରତର ବଡ ସ୍କୋରକୁ ପିଛା କରି ଦକ୍ଷିଣ ଆଫ୍ରିକା ଟିମ୍‌ ପଡିଆକୁ ଓହ୍ଲାଇଥିଲା।

୨୩୮ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକା ଟିମ୍ ୧ ରନରେ ଦୁଇଟି ଓ୍ଵିକେଟ୍ ହରାଇଥିଲା। ଅଧିନାୟକ ତେମ୍ବା ବାଭୁମା(୦) ଏବଂ ରିଲି ରସୋ(୦) ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ କ୍ଵିଣ୍ଟନ ଡିକକ୍ ଏବଂ ଆଡନ ମାରକ୍ରମ ୪୬ ରନ ଯୋଡିଥିଲେ। ମାରକ୍ରମ ୧୯ ବଲ୍‌ରୁ ୩୩ ରନ କରି ଆଉଟ୍ ହୋଇଥିଲେ। ଡେଭିଡ୍ ମିଲର ଧୂଆଁଧାର ବ୍ୟାଟିଂ ଚୌକା ଏବଂ ଛକା ବର୍ଷା କରି ମାତ୍ର ୪୬ ବଲ୍‌ରେ ଶତକ ପୂରଣ କରିଥିଲେ। ସେ ୪୭ ବଲ୍‌ରୁ ୮ ଚୌକା ଏବଂ ୭ ଛକା ସହ ୧୦୬ ରନ କରି ଅପରାଜିତ ଥିଲେ। ଡିକକ୍ ୪୮ ବଲ୍‌ରୁ ୩ ଚୌକା ଏବଂ ୪ ଛକା ସହ ୬୯ ରନ କରିଥିଲେ। ମିଲରଙ୍କ ଶତକ ସତ୍ତ୍ଵେ ବି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୧ ରନ କରି ପାରିଥିଲା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.