ସୌରଭ ଗାଙ୍ଗୁଲିଙ୍କୁ ସାଇବର ଧମକ, କୋଲକାତା ପୋଲିସରେ ଅଭିଯୋଗ

ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ସାଇବର ଧମକ । ଏ ନେଇ ସେ କୋଲକାତା ପୋଲିସ ନିକଟରେ ଧମକ ଏବଂ ମାନହାନିର ଅଭିଯୋଗ କରିଛନ୍ତି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ମୁତାବକ, ସୌରଭ ଗାଙ୍ଗୁଲିଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।
ଗାଙ୍ଗୁଲିଙ୍କ ସଚିବ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ ‘ମୁଁ ମୃଣ୍ମୟ ଦାସ ନାମକ ବ୍ୟକ୍ତିଙ୍କଠାରୁ ମିଳିଥିବା ସାଇବର ଧମକ ଏବଂ ମାନହାନି ମାମଲା ଆପଣଙ୍କ ନଜରକୁ ଆଣିବାକୁ ଯାଉଛି । ଏହି ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟର୍ଫମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ କରି ଅଭଦ୍ର ଭାଷା ବ୍ୟବହାର କରାଯାଇଛି । ସେ ଅପମାନଜନକ ଟିପ୍ପଣୀ କରୁଛନ୍ତି, ଯାହାକି ସୌରଭ ଗାଙ୍ଗୁଲିଙ୍କ ପ୍ରତିଷ୍ଠା ପାଇଁ କ୍ଷତିକାରକ’ ।
ଏ ସମ୍ପର୍କରେ ପୋଲିସ ଅଧିକାରୀ କହିଛନ୍ତି ଯେ ସୌରଭ ଗାଙ୍ଗୁଲିଙ୍କ ସଚିବ ମଙ୍ଗଳବାର ରାତିରେ କୋଲକାତା ପୋଲିସର ସାଇବର ବିଭାଗକୁ ଏକ ଇ-ମେଲ ପଠାଇ ଅଭିଯୋଗ ଦାଖଲ କରିଛନ୍ତି । ଗାଙ୍ଗୁଲିଙ୍କ ସଚିବ ଇ-ମେଲ ସହିତ ଏକ ଭିଡିଓ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି । ପୋଲିସ କହିଛି, ଆମେ ଇ-ମେଲ ପାଇଛୁ ଏବଂ ଏହି ପୂରା ଘଟଣାକୁ ଆମେ ଦେଖୁଛୁ ।
କହି ରଖୁଛୁ, କିଛି ଦିନ ତଳେ କୋଲକାତାର ଏକ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନିନ୍ଦା କରିଥିଲେ ସୌରଭ ଗାଙ୍ଗୁଲି । ସେ କହିଥିଲେ ଯେ ଜଣେ ଝିଅର ବାପା ହୋଇଥିବାରୁ ସେ ଏହି ଘଟଣାକୁ ନେଇ ଅତ୍ୟନ୍ତ ଦୁଃଖିତ ।