ଟି-୨୦ ବିଶ୍ୱକପ ପୂର୍ବରୁ ସାଉଥ ଆଫ୍ରିକାକୁ ବଡ ଝଟକା, ମୁଖ୍ୟ କୋଚ ପଦରୁ ଇସ୍ତଫା ଦେବେ ମାର୍କ ବାଉଚର

ଆଇସିସି ଟି-୨୦ ବିଶ୍ୱକପ୍‌ ପୂର୍ବରୁ ସାଉଥ ଆଫ୍ରିକାଙ୍କୁ ଲାଗିଲା ବଡ ଝଟକା। ମୁଖ୍ୟ କୋଚ ପଦରୁ ଇସ୍ତଫା ଦେବେ ମାର୍କ ବାଉଚର। ନିଜ ପଦରୁ ଇସ୍ତଫା ଦେବେ ବୋଲି ବାଉଚର ନିଷ୍ପତ୍ତି ନେଇସାରିଛନ୍ତି। କ୍ରିକେଟ ସାଉଥ ଆଫ୍ରିକା ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟ କୋଚ୍‌ ମାର୍କ ବାଉଚର ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ନିଜର ପଦରୁ ଇସ୍ତଫା ଦେବେ। ବୋର୍ଡ ବାଉଚରଙ୍କ ଫଟୋ ସେୟାର କରି କହିଛି ଯେ, ମୁଖ୍ୟ କୋଚ୍ ମାର୍କ ବାଉଚର ଆସନ୍ତା ମାସରେ ହେବାକୁ ଥିବା ଟି୨୦ ବିଶ୍ୱକପ ପରେ ପଦ ଛାଡିବେ । ବାଉଚର ବ୍ୟକ୍ତିଗତ କାରଣ ଯୋଗୁଁ ଏପରି ନିଷ୍ପତ୍ତି ନେଇଛନ୍ତି। ବୋର୍ଡ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଭବିଷ୍ୟ ପାଇଁ ଶୁଭକାମନା ଜଣାଇଛି।

ବାଉଚର ଡିସେମ୍ବର ୨୦୧୯ରେ ଦକ୍ଷିଣ ଆଫ୍ରିକା ଟିମର ହେଡ କୋଚ ଦାୟିତ୍ୱ ସମ୍ଭାଳିଥିଲେ। ବାଉଚର କୋଚ ଥିବା ବେଳେ ଦକ୍ଷିଣଆଫ୍ରିକା ୧୦ଟି ଟେଷ୍ଟ ମ୍ୟାଚ ଜିତିଛି। ଭାରତ ବିପକ୍ଷରେ ଚଳିତ ଜାନୁଆରୀରେ ମଧ୍ୟ ୨-୧ରେ ସିରିଜ ଜିତିଥିଲା ଦକ୍ଷିଣ ଆଫ୍ରିକା। ସାଉଥ ଆଫ୍ରିକା ଟିମ୍‌ ଏବେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ବାଉଚରଙ୍କ ଅଧିନରେ ଟିମ୍‌ ଏପର୍ଯ୍ୟନ୍ତ ୧୨ଟି ଦିନିକିଆ ଏବଂ ୨୩ଟି ଟି-୨୦ ମ୍ୟାଚ ଜିତିଛି।

କୋଚ ବାଉଚର ଦକ୍ଷିଣ ଆଫ୍ରିକା ସହିତ ଶେଷ ସିରିଜ ଖେଳିବା ପାଇଁ ଭାରତ ଗସ୍ତ କରିବେ। ଏଠାରେ ୨୮ ସେପ୍ଟେମ୍ବରରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ୩ଟି ଟି-୨୦ ମ୍ୟାଚ୍‌ ଏବଂ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଛି।

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଲୋକେସ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ଓ୍ଵିକେଟ କିପର), ଦିନେଶ କାର୍ତ୍ତିକ (ଓ୍ଵିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ହର୍ଷଲ ପଟେଲ, ଅର୍ଶଦୀପ ସିଂହ, ମହମ୍ମଦ ସାମି ଏବଂ ଦୀପକ ଚହର

 

Also Read : ଅଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା: ବାଦ୍‌ ପଡିଲେ ପାଣ୍ଡ୍ୟା, ଅର୍ଶଦୀପ ଏବଂ ଭୁବନେଶ୍ୱର

Leave A Reply

Your email address will not be published.