କ୍ରିକେଟ୍ରୁ ସମ୍ପୂର୍ଣ୍ଣ ବିଦାୟ ନେଲେ ଶ୍ରୀସନ୍ଥ, କଲେ ଅବସର ଘୋଷଣା

ଭାରତର ପୂର୍ବତନ ପେସ୍ ବୋଲର ଏସ୍. ଶ୍ରୀସନ୍ଥ ଆଜି କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ଏ କଥା ସେ ସୋସିଆଲ ମିଡିଆରେ ଜଣାଇ ଦେଇଛନ୍ତି । ସେ କହିଛନ୍ତି କି ଏହା ମୋ ପାଇଁ ଏକ ଅତି କଷ୍ଟକର ନିଷ୍ପତ୍ତି ଥିଲା । ତେବେ ଏଇଟା ହିଁ ଉଚିତ ସମୟ ବୋଲି ସେ କହିଛନ୍ତି ।
ଶ୍ରୀସନ୍ଥଙ୍କୁ ଏବେ ୩୯ ବର୍ଷ ବୟସ । ନିକଟରେ ସେ ନିଜ ରାଜ୍ୟ କେରଳ ପାଇଁ ରଣଜୀ ଟ୍ରଫିରେ ଖେଳିଥିଲେ । କିଛି ଓ୍ଵିକେଟ୍ ମଧ୍ୟ ନେଇଥିଲେ । ତେବେ ପରବର୍ତ୍ତୀ ପିଢ଼ି ପାଇଁ ସେ ରାସ୍ତା ଦେବାକୁ ଅବସର ନିଷ୍ପତ୍ତି ନେଇଥିବା ଟୁଇଟ୍ କରି ଜଣାଇଛନ୍ତି ।
ବିବାଦୀୟ ସ୍ଥିତିରେ କ୍ରିକେଟ୍ରୁ ବାସନ୍ଦ ହୋଇଥିଲେ ଶ୍ରୀସନ୍ଥ । ପ୍ରାୟ ୯ ବର୍ଷ ପରେ ପୁଣି ଖେଳ ପଡ଼ିଆକୁ ଫେରିଥିଲେ । ତେବେ ଆଜି ସେ କ୍ରିକେଟ୍ର ସବୁ ଫର୍ମାଟ୍ରୁ ଅବସର ନେଉଛନ୍ତି ବୋଲି ଘୋଷଣା କରିଛନ୍ତି । ଏହି ବୋଲର ଦେଶ ପାଇଁ ମୋଟ୍ ୯୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଆଉ ୧୬୯ଟି ଓ୍ଵିକେଟ୍ ନେଇଛନ୍ତି । ଆଇପିଏଲ୍ରେ ୪୪ଟି ମ୍ୟାଚ୍ ଖେଳି ୪୦ଟି ଓ୍ଵିକେଟ୍ ନେଇଛନ୍ତି । ତେବେ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ସେ ଛନ୍ଦି ହୋଇଯିବା ପରେ ତାଙ୍କର କ୍ରିକେଟ୍ କ୍ୟାରିୟର ସରି ଯାଇଥିଲା । ସେଥିରୁ ବର୍ତ୍ତିବା ପରେ ପୁଣି ଘରୋଇ ପ୍ରତିଯୋଗିତାକୁ ଫେରିଥିଲେ ।