ଲଙ୍କା ସେନା ଆଗରେ ଫେଲ୍ ମାରିଲା ରୋହିତଙ୍କ ବାହିନୀ, ପାକିସ୍ତାନ ପରେ ଶ୍ରୀଲଙ୍କାଠୁ ମ୍ୟାଚ୍ ହାରିଲା ଇଣ୍ଡିଆ 

ପୁଣି ପରାଜୟ।  ଏସିଆ କପ୍ ୨୦୨୨ ସୁପର ୪ମ୍ୟାଚ୍ କୁ ୬ ୱିକେଟରେ ଜିତିନେଇଛି ଶ୍ରୀଲଙ୍କା। ଫଳରେ ଭାରତୀୟ ଫ୍ୟାନଙ୍କୁ ନିରାଶ କରିଛି ରୋହିତଙ୍କ ବାହିନୀ। ଏସିଆ କପ୍ ରେ ଫାଇନାଲକୁ ଯିବା ଆଶା ମଉଳିଯାଇଛି। ତେବେ ଭାରତକୁ ହରାଇ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିଛି।

ଶ୍ରୀଲଙ୍କା ପକ୍ଷରୁ କୁସାଲ ମେଣ୍ଡିସ ୫୭ ରନ, ପଠୁମ୍ ନିଶଙ୍କ ୫୨, ଦଶୁନ ସନକ ୩୩ରନ, ଭାନୁକ ରଜପକ୍ଷେ ୨୫ରନ କରିଥିଲେ। ସେହିପରି ଭାରତ ପକ୍ଷରୁ ଚହଲ ୩ଟି ଏବଂ ଅଶ୍ଵିନୀ ଗୋଟିଏ ୱିକେଟ୍ ନେଇଥିଲେ।

ଆଜିର ମ୍ୟାଚରେ  ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୭୩ ରନ କରିଥିଲା । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୭୨ ରନ କରିଥିଲେ। ଓପନର୍‌ ରୋହିତ ଶର୍ମା ଆରମ୍ଭରୁ ହିଁ ଆକ୍ରମଣାତ୍ମକ ସଟ୍‌ ଖେଳିବା ଆରମ୍ଭ କରିଥିଲେ । କିନ୍ତୁ ଅପର ପକ୍ଷେ ରାହୁଲ ପୁଣି ଫେଲ ମାରି ମାତ୍ର ୬ ରନ କରି ଆଉଟ୍ ହୋଇଥିଲେ। ସେହିଭଳି କୋହଲି ଖାତା ଖୋଲିବା ପୂର୍ବରୁ ହିଁ କ୍ଲିନ୍‌ ବୋଲ୍ଡ ହୋଇଛନ୍ତି । ରୋହିତ ବ୍ୟକ୍ତିଗତ ଭାବେ ୪୧ ବଲରୁ ୫ଟି ଚୌକା ଏବଂ ୪ଟି ଛକା ସହାୟତାରେ ୭୨ ରନ କରିଥିଲେ।

ସେହିଭଳି ସୂର୍ଯ୍ୟକୁମାର ଯାଦବ ୨୯ ବଲରେ ୩୪ରନ, ପାଣ୍ଡ୍ୟା ୧୭ରନ, ଦୀପକ ହୁଡ୍ଡା ମାତ୍ର ୩ ରନ କରି ଆଉଟ ହୋଇଥିଲେ। ଋଷଭ ପନ୍ତ ୧୭ ରନ, ଭୁବନେଶ୍ବର କୁମାର ୦ ରେ ଆଉଟ୍ ହୋଇଥିଲେ । ରବିଚନ୍ଦ୍ରନ ଅଶ୍ବିନ ୧୫ରନ ଏବଂ ଅର୍ଶଦୀପ ସିଂହ ୧ ରନ କରି ଅପରାଜିତ ରହିଥିଲେ।

ସୂଚନାଯୋଗ୍ୟ, ପାକିସ୍ତାନ ଠାରୁ ୫ ଓ୍ଵିକେଟରେ ହାରିବା ପରେ ଭାରତୀୟ ଦଳ ଶ୍ରୀଲଙ୍କା ସହିତ ଖେଳିଥିଲା। ଆଉ ଏହି ମ୍ୟାଚ୍ ମଧ୍ୟ ହାରିଛି ଭାରତ। ତା ପରେ ଆଗାମୀ ମ୍ୟାଚ ଆଫଗାନିସ୍ତାନ ସହ ଖେଳିବ। ବର୍ତ୍ତମାନ ଭାରତ ପଏଣ୍ଟ ଟେବୁଲ ତାଲିକାରେ ତୃତୀୟ ସ୍ଥାନରେ ରହିଛି। ମ୍ୟାଚ୍ ହାରିବା ପରେ କଣ ପ୍ରତିକ୍ରିୟା ରଖିବେ ଭାରତୀୟ ଫ୍ୟାନସ ତାହା ଦେଖିବାକୁ ବାକି ରହିଲା।