ଆଇପିଏଲ୍‌ ମିନି ଅକ୍ସନ: ଇଂଲଣ୍ଡର ଯୁବ ଷ୍ଟାର ହ୍ୟାରି ବ୍ରୁକ୍‌ଙ୍କ ଉପରେ ଟଙ୍କା ବର୍ଷା କରିଦେଲା ସନରାଇଜର୍ସ ହାଇଦ୍ରାବାଦ; ୧୩.୨୫ କୋଟି ଟଙ୍କାରେ ବିକ୍ରି

ଆଇପିଏଲର ଆଗାମୀ ସିଜନ ପାଇଁ ମିନି ଅକ୍ସନ ଶୁକ୍ରବାର ୨୩ ଡିସେମ୍ବରରେ କୋଚିରେ ଆରମ୍ଭ ହୋଇଛି। ସନରାଇଜର୍ସ ହାଇଦ୍ରାବାଦ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଇଂଲଣ୍ଡର ଯୁବ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍‌ଙ୍କ ଉପରେ ଟଙ୍କା ବର୍ଷା କରିଛି। ହାଇଦ୍ରାବାଦ ହ୍ୟାରି ବ୍ରୁକ୍‌ଙ୍କୁ ୧୩.୨୫ କୋଟି ଟଙ୍କାରେ କିଣିଛି। ବ୍ରୁକ୍‌ଙ୍କର ବେସ୍‌ ପ୍ରାଇଜ୍‌ ରହିଥିଲା ୧.୫୦ କୋଟି ଟଙ୍କା।

ହ୍ୟାରି ବ୍ରୁକ୍ ଇଂଲଣ୍ଡ ପାଇଁ ପ୍ରଥମ ଟି୨୦ ମ୍ୟାଚ୍‌ ୨୬ ଜାନୁଆରୀ ୨୦୨୨ରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳିଥିଲେ। ସେ ଏ ପର୍ଯ୍ୟନ୍ତ ୨୦ଟି ମ୍ୟାଚର ୧୭ ଇନିଂସରେ ୩୭୨ ରନ୍ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ରହିଛି ୮୧ ରନ୍।

ସନରାଇଜର୍ସ ଟିମ୍‌ କେବଳ ଏତିକିରେ ଅଟକି ନ ଥିଲା, ବରଂ ଏହା ମୟଙ୍କ୍‌ ଅଗ୍ରୱାଲଙ୍କ ପାଇଁ ମଧ୍ୟ ଏକ ବଡ଼ ବିଡ୍ ଲଗାଇଥିଲା। ମୟଙ୍କ୍‌ଙ୍କ ବେସ୍‌ ପ୍ରାଇଜ୍‌ ଥିଲା ୧ କୋଟି ଟଙ୍କା। ସନରାଇଜର୍ସ ତାଙ୍କୁ ଆଠ ଗୁଣା ଅଧିକ ଦାମ୍‌ରେ ନିଜ ଟିମ୍‌ରେ ସାମିଲ କରିଥିଲା। ମୟଙ୍କ୍‌ଙ୍କୁ ସନରାଇଜର୍ସ ୮.୨୫ କୋଟି ଟଙ୍କାରେ କିଣିଥିଲା। ସେ ଟିମ୍‌ର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି।

ନିଲାମୀରେ ସର୍ବପ୍ରଥମେ ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ଖେଳାଳି ତଥା ସନରାଇଜର୍ସ ହାଇଦ୍ରାବାଦର ପୂର୍ବତନ ଖେଳାଳି କେନ୍ ୱିଲିୟମସନ ବିକ୍ରି ହୋଇଥିଲେ। ତାଙ୍କୁ ଗୁଜରାଟ ଟାଇଟନ୍ସ ୨ କୋଟି ଟଙ୍କାର ବେସ୍‌ ପ୍ରାଇଜ୍‌ରେ କିଣିଥିଲା।