ସାମ୍ନାକୁ ଆସିଲା ହକି ବିଶ୍ୱବିଜୟୀ ବେଲଜିୟମ୍ ଟିମର ଅନ୍ଧବିଶ୍ୱାସ ! ଫାଇନାଲ ପୂର୍ବ ରାତିରେ ପାଚେରୀ ଡେଇଁ କଳିଙ୍ଗ ଷ୍ଟାଡିୟମରେ ପଶି ଛୁଇଁଥିଲେ ଗୋଲ୍ ପୋଷ୍ଟ

ଭୁବନେଶ୍ବର : ଶେଷ ହୋଇଛି ଓଡିଶା ହକି ବିଶ୍ୱକପ୍-୨୦୧୮ । ହକିର ବିଶ୍ୱବିଜେତା ହୋଇଛି ବେଲଜିୟମ । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରକୁ ବାଏ ବାଏ କରିଛନ୍ତି ଦଳର ଖେଳାଳି । କିନ୍ତୁ ଟିମ୍ ଯିବା ପରେ ସାମ୍ନାକୁ ଆସିଛି ରେଡ ଲାୟନ୍ସ ଟିମ୍ର ବଡ ସିକ୍ରେଟ୍ । ମ୍ୟାଚ ଜିତିବାକୁ ଦଳ ଆପଣେଇ ଥିଲା ଅଭିନବ ପଦକ୍ଷେପ । ଫାଇନାଲ ପୂର୍ବ ରାତିରେ ଦଳର ଖେଳାଳି ଡେଇଁଥିଲେ ହୋଟେଲ ପାଚେରୀ । ହୋଟେଲରୁ ଷ୍ଟାଡିୟମ ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ କିଲୋମିଟର ରାସ୍ତାକୁ ଚାଲି ଚାଲି ଆସି ଗୋଲ୍ ପୋଷ୍ଟକୁ ଛୁଇଁଥିଲେ । ସେମାନଙ୍କ ବିଶ୍ୱାସ ଏଭଳି କଲେ ମ୍ୟାଚକୁ ଜିତି ହେବ ।
ବେଲଜିୟମ ପାଇଁ ଏହା କୌଣସି ନୂଆ ନୁହେଁ । ଗତବର୍ଷ ଓ୍ଵାର୍ଲ୍ଡ ହକି ଲିଗ୍ରେ ବି ଦଳ ଆପଣେଇଥିଲା ସମାନ ଫଣ୍ଡା । ସୁରକ୍ଷା କର୍ମୀଙ୍କୁ ନଜଣାଇ ଏଭଳି କରିଥିଲେ ଦଳର ଖେଳାଳି । ଯେଉଁଥିପାଇଁ କମିସନରେଟ ପୋଲିସ ବି ହଟହଟା ହୋଇଥିଲା । ଏଥର କିନ୍ତୁ କମିସନରେଟ ପୋଲିସକୁ ଅବଗତ କରାଇଥିଲା ଦଳ।
ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରେଡ ଲାୟନ୍ସ ବେଲଜିୟମ ଓ ନେଦରଲ୍ୟାଣ୍ଡ। ମ୍ୟାଚ ଡ୍ର ହୋଇଥିଲା । ପରେ ଏଫଆଇଏଚ୍ ନିୟମ ଅନୁସାରେ ପ୍ରଥମ ସୁଟ୍ ଆଉଟ୍ ହୋଇଥିଲା । ଏଥିରେ ବି ମ୍ୟାଚ୍ ଡ୍ର-ହୋଇଥିଲା । ପରେ ଆଉ ଏକ ସୁଟ୍ ଆଉଟ୍ରେ ଗୋଲ୍ ଦେଇ ଟ୍ରଫି ଜିତିଲା ବେଲଜିୟମ । ତେଣୁ ଟାଇଟଲ ଜିତିବା ପଛରେ ପାଚେରୀ ଡେଇଁବା ଦଳ ପାଇଁ ଶୁଭ ହୋଇଥିବା ଚର୍ଚ୍ଚା ହେଉଛି ।