ପୁଣି ଇତିହାସ ରଚିଲେ ସୂର୍ଯ୍ୟ କୁମାର ଯାଦବ, ଗୋଟିଏ ବର୍ଷରେ ୨ଟି ଶତକ ଅର୍ଜନ କରିବାରେ ହେଲେ ଦ୍ୱିତୀୟ ଭାରତୀୟ

କେନ୍ୟୁଜ୍‌ : ଟି-୨୦ ବିଶ୍ୱକପ ୨୦୨୨ ସେମିଫାଇନାଲ ହାରିବା ପରେ ଏବେ ନ୍ୟୁଜିଲାଣ୍ଡରେ ଟି-୨୦ ସିରିଜ ଖେଳୁଛି ଟିମ୍‌ ଇଣ୍ଡିଆ । ହାଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳୁଥିବା ଏହି ଯୁବ ଟିମ୍‌ ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ଜାରି ରଖିଛି । ପ୍ରଥମ ମ୍ୟାଚ୍‌ରେ ଯୁବ ବିସ୍ଫୋରକ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ଧୂଆଁଧାର ବ୍ୟାଟିଂ କରି ଅପରାଜିତ ୫୧ ବଲରେ୧୧୧ ରନ କରିଛନ୍ତି । ଏହି ଶତକ ମାରିବା ପରେ ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଯାଇଛି । ସେ ଗୋଟିଏ ବର୍ଷ ଭିତରେ ୨ଟି ଶତକ ହାସଲ କରିଛନ୍ତି । ସେ ଏହି ରେକର୍ଡ ହାସଲ କରିବାରେ ଦ୍ୱିତୀୟ ଭାରତୀୟ । ୨୦୧୮ ମସିହାରେ ରୋହିତ ଶର୍ମା ଦୁଇଟି ଶତକ ହାସଲ କରି ଏହି ରେକର୍ଡ ପ୍ରଥମ ଥର ନିଜ ନାଁ ରେ କରିଥିଲେ । ସୂର୍ଯ୍ୟ କୁମାର ଯାଦବ ଟି-୨୦ବିଶ୍ୱକପ ୨୦୨୨ ରେ ସବୁଠାରୁ ଅଧିକ ସ୍କୋର କରିଥିବା ଖେଳାଳିଙ୍କ ଭିତରେ ୩ ନମ୍ବର ସ୍ଥାନରେ ଅଛନ୍ତି । ସେ ଟି-୨୦ ର‍୍ୟାଙ୍କିଙ୍ଗ୍‌ରେ ବି ପ୍ରଥମ ସ୍ଥାନରେ ଅଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସୂର୍ଯ୍ୟ କୁମାର ଯାଦବ ଯେଉଁ ଦୁଇଟି ଶତକ ହାସଲ କରିଛନ୍ତି ସବୁ ଯାକ ବିଦେଶ ମାଟିରେ ।

ଗତ ଜୁଲାଇ ମାସରେ ସେ ଇଂଲଣ୍ଡ ବିପକ୍ଷରେ ସେ ପ୍ରଥମ ଶତକ ହାସଲ କରିଥିଲେ । ସେ ଆଜିର ମ୍ୟାଚ୍‌ରେ ଋଷଭ ପନ୍ଥଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ । ସେ ମାତ୍ର ୩୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ତା ପରେ ତାଙ୍କୁ ଶତକ ମାରିବା ପାଇଁ ମାତ୍ର ୧୭ ବଲ ଅର୍ଥାତ୍‌ ସେ ମୋଟ ୫୧ ବଲରେ ଶତକ ହାସଲ କରି ଭାରତୀୟ ଟିମକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ତାଙ୍କର ଏହି ଶତକୀୟ ପାରିରେ ୧୧ଟି ଚଉକା ଏବଂ ୭ଟି ଛକା ମଧ୍ୟ ସାମିଲ ଅଛି। ଏହି ମ୍ୟାଚର ଶେଷ ପର୍ଯ୍ୟନ୍ତ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ଥିଲା ୨୧୭.୬୫ । ଭାରତ-ନ୍ୟୁଜିଲାଣ୍ଡ ଆଜିର ପ୍ରଥମ ମ୍ୟାଚରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୯୧ ରନର ଲକ୍ଷ୍ୟ ଦେଇଥିଲା । ମାତ୍ର ନ୍ୟୁଜିଲାଣ୍ଡ ଟିମ୍‌ ୧୮.୫ ଓଭରରେ ୧୨୬ ରନ କରିି ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍‌ ୬୫ ରନର ଏକ ବଡ଼ ବ୍ୟବଧାନରେ ମ୍ୟାଚ୍‌କୁ ଜିତି ନେଇଥିଲା ।

ପାକିସ୍ତାନ ଅଧିନାୟକ ବାବର ଆଜମକୁ ପଛରେ ପକାଇଲେ ସୂର୍ଯ୍ୟ:

ଗୋଟିଏ ବର୍ଷରେ ସବୁଠାରୁ ଅଧିକ ୫୦ ରନ ସଂଗ୍ରହ କରିଥିବା ଖେଳାଳିଙ୍କ ମଧ୍ୟରୁ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇଛନ୍ତି ସୂର୍ଯ୍ୟ କୁମାର । ଏହି ତାଲିକାରେ ପାକିସ୍ତାନର ବ୍ୟାଟର ମହମ୍ମଦ ରିଜଓ୍ଵାନ ଏବଂ ପରକୁ ଦ୍ୱିତୀୟ ନମ୍ବରରେ ସୂର୍ଯ୍ୟ କୁମାର ଯାଦବ ଅଛନ୍ତି । ବାବର ଆଜମ ୨୦୨୧ ମସିହାରେ ୧୦ ଥର ୫୦ରୁ ଅଧିକ ରନ କରିଥିଲେ ଏବଂ ସୂର୍ଯ୍ୟ ଏହି ବର୍ଷ ୧୦ ଥର କରି ତାଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି ତାଲିକାରେ ପ୍ରଥମରେ ଥିବା ରିଜଓ୍ଵାନ ୨୦୨୧ ମସିହାରେ ୧୩ ଥର ୫୦ରୁ ଅଧିକ ରନ କରିଛନ୍ତି । ସେ ଶତକ ମାରିବା ପରେ ଅଫିସିଆଲ ବ୍ରୋଡକାଷ୍ଟରଙ୍କୁ କହିଛନ୍ତି, ‘ଟି-୨୦ କ୍ରିକେଟରେ ଶତକ ମାରିବା ଏକ ବଡ଼ କଥା କିନ୍ତୁ ମୋତେ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିବାର ବି ଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ମୋତେ କହିଥିଲେ ଅନ୍ତତଃ ୧୮-୧୯ ଓଭର ପର୍ଯ୍ୟନ୍ତ ଖେଳିବା ପାଇଁ ଏବଂ ଆମର ଟାର୍ଗେଟ ୧୮୦ ରୁ ୧୮୫ ରନ ନିହାତି ଦରକାର । ଆଜି ଆମେ ଯେତିକି ସ୍କୋର କରିଛୁ ସେଥିରେ ଆମେ ଖୁସି ଅଛୁ ଏବଂ ମୋର ବ୍ୟାଟିଂ ପାଇଁ ମୁଁ ଖୁସିରେ ଅଛି’।

ଭାରତ ପାଇଁ ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଅଧିକ ରନ

୧୨୨- ବିରାଟ କୋହଲି

୧୧୮- ରୋହିତ ଶର୍ମା

୧୧୭- ସୂର୍ଯ୍ୟକୁମାର ଯାଦବ

୧୧୧- ସୂର୍ଯ୍ୟକୁମାର ଯାଦବ

୧୧୧-  ରୋହିତ ଶର୍ମା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.