ଭାରତୀୟ କ୍ରିକେଟ ଟିମକୁ ବଡ ଝଟକା ଲାଗିଛି । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଛନ୍ତି । କୋଏମ୍ବାଟୁରରେ ତାମିଲନାଡୁ କ୍ରିକେଟ ଆସୋସିଏସନ ଇଲେଭେନ ବିପକ୍ଷରେ ମୁମ୍ବାଇର ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ଫିଲ୍ଡି କରୁଥିବା ସମୟରେ ସୂର୍ଯ୍ୟକୁମାର ଯାଦବଙ୍କୁ ଆଘାତ ଲାଗିଛି । ଏହି ମ୍ୟାଚରେ ମୁମ୍ବାଇ ହାରିବା ଯୋଗୁଁ ତାମିଲନାଡୁ ସେମିଫାଇନାଲରେ ପହଞ୍ଚିଯାଇଛି ।
ଆଗାମୀ ଦିଲ୍ଲୀପ ଟ୍ରଫି ସୂର୍ଯ୍ୟକୁମାରଙ୍କ ପାଇଁ ବଡ ଟୁର୍ଣ୍ଣାମେଣ୍ଟ । ନିକଟରେ ଟେଷ୍ଟ ଫର୍ମାଟରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଇଚ୍ଛା ରଖିଛନ୍ତି ସୁର୍ଯ୍ୟକୁମାର । ଭାରତର ଟି୨୦ ଅଧିନାୟକ ନିଜ କ୍ୟାରିଅରରେ କେବଳ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୨୦୨୩ ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ତେଣୁ ନିଜ ବ୍ୟାଟିଂ କୌଶଳ ଯୋଗୁଁ ଟେଷ୍ଟ ଟିମକୁ ଫେରିବାକୁ ଚାହୁଁଥିଲେ । କିନ୍ତୁ ଆହତ ସମସ୍ୟା ଯୋଗୁଁ ତାଙ୍କୁ ଝଟକା ଲାଗିଛି ।
କୋଏମ୍ବାଟୁରରେ ମ୍ୟାଚ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକୁମାର କହିଥିଲେ କି, ମୁଁ ବୁଚିବାବୁ ଟୁର୍ଣ୍ଣାମେଣ୍ଟ ଖେଳିଛି, ତା’ ପରେ ଦିଲ୍ଲୀପ ଟ୍ରଫି ଖେଳିବା ପରେ ଦେଖିବା । ମୁଁ ବହୁତ ଉତ୍ସାହିତ ରହିଛି । ଟେଷ୍ଟ ଫର୍ମାଟରେ ଖେଳିବା ପାଇଁ ବହୁତ ଉତ୍ସାହିତ ରହିଛି ।
ସୂର୍ଯ୍ୟକୁମାର ନିଜ କ୍ୟାରିଅରରେ ୮୨ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ସେ ୫୬୨୮ ରନ କରିଥିବା ବେଳେ ୧୪ଟି ଶତକ ଏବଂ ୨୯ ଅର୍ଦ୍ଧଶତକ ମାରିଛନ୍ତି । ପୂର୍ବରୁ ଉମରାନ ମଲିକ ବାଦ୍ ପଡିଥିବା ବେଳେ ଏବେ ସୂର୍ଯ୍ୟକୁମାର ଆହତ ସମସ୍ୟା ଯୋଗୁଁ ବାଦ୍ ପଡିଛନ୍ତି ।
ଦିଲ୍ଲୀପ ଟ୍ରଫି ଟିମ୍ ସି :
ଋତୁରାଜ ଗାୟକଓ୍ୱାଡ(ଅଧିନାୟକ), ସାଇ ସୁଦର୍ଶନ, ରଜତ ପାଟିଦାର, ଅଭିଷେକ ପୋରେଲ, ସୂର୍ଯ୍ୟକୁମାର ଯାଦବ, ବି ଇନ୍ଦ୍ରଜିତ, ରିତିକ ଶୌକିନ, ମାନବ କୁମାର, ଉମରାନ ମଲକ, ବିଶାକ ବିଜୟକୁମାର, ଅଂଶୁଲ ଖମେ୍ବାଜ, ହିମାଂଶୁ ଚୌହ୍ୱାନ, ମୟଙ୍କ ମାକେର୍ଣ୍ଡ, ଆର୍ୟନ ଜୁୟାଲ (ଓ୍ୱିକେଟ କିପର), ସନ୍ଦୀପ ଓ୍ୱାରିଅର ।