ପ୍ୟାରିସ ଅଲିମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ସୁଟର ସ୍ୱପ୍ନିଲ କୁସାଲେଙ୍କୁ ମିଳିଲା ବ୍ରୋଞ୍ଜ

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ । ଆଜି ୬ଷ୍ଠ ଦିନରେ ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍ସ ଫାଇନାଲରେ ସ୍ୱପ୍ନିଲ କୁସାଲେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତା ଆରମ୍ଭରୁ ସ୍ୱପ୍ନିଲ ଯଥାକ୍ରମେ ଷଷ୍ଠ, ପଞ୍ଚମ, ଚତୁର୍ଥ ସ୍ଥାନରେ ରହି ତା’ପରେ ତୃତୀୟ ସ୍ଥାନକୁ ଆସିଥିଲେ ।
ଏହା ପୂର୍ବରୁ ଭାରତ ଦୁଇଟି ପଦକ ଜିତିଥିବା ବେଳେ ଏହା ମଧ୍ୟରେ ମୋଟ ଅଲିମ୍ପିକ୍ସ ପଦକ ସଂଖ୍ୟା ୩ରେ ପହଞ୍ଚି ଯାଇଛି । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ଜିତିଥିବା ବେଳେ ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମନୁ ଭାକର-ସରବଜୋତ ସିଂହ ବ୍ରୋଞ୍ଜ ମେଡାଲ ଜିତିଥିଲେ । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଭାରତୀୟ ଯୋଡ଼ି ପ୍ରତିପକ୍ଷ ଦକ୍ଷିଣ କୋରିଆର ଯୋଡ଼ି ଓହ ୟେ ଜିନ ଓ ଲୀ ବୋନହୋଙ୍କୁ ୧୬-୧୦ ବ୍ୟବଧାନରେ ପରାସ୍ତ କରିଥିଲେ ।
ଗତ ୨୦ ବର୍ଷ ମଧ୍ୟରେ ମନୁ ଭାକର ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଆଥ୍ଲେଟ୍ ଯିଏ ଅଲିମ୍ପିକ୍ସରେ ଶୁଟିଂର ଫାଇନାଲରେ ପହଞ୍ଚିଛନ୍ତି । ତାଙ୍କ ପୂର୍ବରୁ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଭାରତର ସୁମା ଶିରୁରୁ ଶୁଟିଂର ଫାଇନାଲରେ ପହଞ୍ଚିଥିଲେ ।
ପୁଣେର ୨୮ ବର୍ଷୀୟ ସ୍ୱପ୍ନିଲ ରେଲେଓ୍ଵରେ ଟିଟିଇ ଭାବେ ଚାକିରି କରୁଥିଲେ । ସ୍ୱପ୍ନିଲ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ଠାରୁ ପ୍ରେରଣା ନେଇଥିଲେ । ସ୍ୱପ୍ନିଲ ୨୦୧୨ରେ ସୁଟିଂ ଇଣ୍ଟରନ୍ୟାସନାଲ ଇଭେଣ୍ଟରେ ଭାଗ ନେଇଥିଲେ । ନିଜ କ୍ୟାରିଅରରେ ପ୍ରଥମ ଅଲିମ୍ପିକ୍ସ ଖେଳିବାକୁ ୧୨ ବର୍ଷ ଅପେକ୍ଷା କରିଥିଲେ ।