‘୨୦୩୬ ଅଲିମ୍ପିକ୍ସରେ ଓଡ଼ିଶା ଖେଳାଳି ଜିତନ୍ତୁ ବ୍ୟକ୍ତିଗତ ମେଡାଲ ’: ସ୍ୱସ୍ତି ଓ ପିଟର ପାଇଲେ ଓସଜା ପୁରସ୍କାର:“

ଓସଜାର ଅଷ୍ଟମ ପ୍ରତିଷ୍ଠା ଦିବସ ଏବଂ ଷଷ୍ଠ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ । ସ୍ୱସ୍ତି ଓ ପିଟର ପାଇଲେ ଓସଜା ପୁରସ୍କାର ।

ଭୁବନେଶ୍ୱର (କେନ୍ୟୁଜ) : ମଙ୍ଗଳବାର ବାରବାଟୀ ଷ୍ଟାଡିୟମ ଓସିଏର ସମ୍ମିଳନୀ କକ୍ଷରେ ଓସଜାର ଅଷ୍ଟମ ପ୍ରତିଷ୍ଠା ଦିବସ ଏବଂ ଷଷ୍ଠ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଏହି ସ୍ବତନ୍ତ୍ର ସଭାରେ ହକି କିମ୍ବଦନ୍ତୀ ପିଟର ତିର୍କିଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ଏବଂ ଯୁବା ଅନ୍ତର୍ଜାତୀୟ ସାଇକ୍ଳିଷ୍ଟ ସ୍ବସ୍ତି ସିଂହଙ୍କୁ ୨୦୨୨ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ପୁଷ୍ପଗୁଚ୍ଛ, ପ୍ରଶସ୍ତିପତ୍ର , ଟ୍ରଫି ଏବଂ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଦେଇ ଅତିଥିମାନେ ସମ୍ମାନିତ କରିଥିଲେ।

ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଥିଲେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଆର ଭିନିଲ କ୍ରିଷ୍ଣା । ସେ ଆଶାବ୍ୟକ୍ତ କରିଥିଲେ ଯେ ବ୍ୟକ୍ତିଗତ ସ୍ତରରେ ଓଡ଼ିଶାର ଖେଳାଳି ଅଲିମ୍ପିକରେ ମେଡାଲ ଜିତିବାର ସୁଯୋଗ ପ୍ରଥମେ ଭାରଉତ୍ତୋଳନରେ ଆସିପାରେ । ରାଜ୍ୟର ଗୌରବମୟ ୱେଟଲିଫ୍ଟିଂ ପରମ୍ପରାକୁ ଦେଖି ୫୦ଟି ସ୍ଥାନରେ ଉଚ୍ଚ ପ୍ରଦର୍ଶନ ସେଣ୍ଟର ଏବଂ ରାଜ୍ୟସାରା ୧୦୦ଟି ଭାରଉତ୍ତୋଳନ ପ୍ଳାଟଫର୍ମ ସ୍ଥାପନ କରାଯାଉଛି ।

ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଓଡ଼ିଶା ଏବେ ୯ମ ସ୍ଥାନକୁ ଆସିଗଲାଣି । ଆମ ଲକ୍ଷ୍ୟ ଟପ୍ ୫ ଭିତରକୁ ଆସିବା ବୋଲି କ୍ରୀଡ଼ା କମିଶନର କହିଥିଲେ । ତୃଣମୂଳସ୍ତରରେ ହକିର ବିକାଶ ସକାଶେ ଆମର ପ୍ରୟାସ ଜାରି ରହିଛି । ଅନେକ ଗ୍ରାମାଞ୍ଚଳ ହକି ସେଣ୍ଟର ସାଙ୍ଗକୁ କଳିଙ୍ଗ ଷ୍ଟାଡିୟମକୁ କ୍ରୀଡ଼ା ଭିତ୍ତିଭୂମିର ପ୍ରମୁଖ କେନ୍ଦ୍ରରେ ପରିଣତ କରାଯାଉଛି ।

ଜିମ୍ନାଷ୍ଟିକ, ଟେନିସ, ବ୍ୟାଡମିଣ୍ଟନ ଏବଂ ଜଳକ୍ରୀଡ଼ା ସକାଶେ ଆନ୍ତର୍ଜାତିକମାନର ଭିତ୍ତିଭୂମି କଳିଙ୍ଗରେ ଲୋକାର୍ପିତ ହେବାକୁ ପ୍ରସ୍ତୁତ ହୋଇଗଲାଣି । ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଭଳି ଗିନିଜ ରେକର୍ଡ ହାସଲ କରିଥିବା କ୍ରୀଡ଼ା କେନ୍ଦ୍ରରେ ଆମେ ଖେଳାଳିମାନଙ୍କ ସହ ଦର୍ଶକମାନଙ୍କୁ ମଧ୍ୟ ଶ୍ରେଷ୍ଠ ସୁବିଧା ଓ ଆନନ୍ଦ ମନାଇବାର ସୁଯୋଗ ପ୍ରଦାନ କରିଛୁ ।

ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓସଜା ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି ଓ ଯୁଗ୍ମ ସମ୍ପାଦକ ସୁରେଶ ସ୍ୱାଇଁ ସଂଘର କାର୍ଯ୍ୟାବଳୀ ବାବଦରେ ସୂଚନା ଦେଇଥିଲା ବେଳେ ଦିପ୍ତୀ ରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଓସଜାର ସଦସ୍ୟମାନଙ୍କ ମଧ୍ୟରୁ ସନାତନ ପାଣି, ହିଂମାଶୁ ପତି ମିଶ୍ର, ରଜନୀକାନ୍ତ ଶତ୍ରୁସଲ୍ୟ, ଦେବାଶିଷ ସୁନ୍ଦରାୟ, ସମୀକ୍ଷା ପଟ୍ଟନାୟକ, ସୂର୍ଯ୍ୟ ରଥ,କୁମାର ବିମଲ, ଶକ୍ତି ପ୍ରକାଶ ନନ୍ଦ, ରଶ୍ମୀପ୍ରଭା ରଥ, ସର୍ବେଶ୍ୱର ମହାନ୍ତି, ବେଣୁଧର ଦାସ, ତନ୍ମୟ ଦାସ, ମହେନ୍ଦ୍ର ସାହୁ, ସରୋଜ ବାରିକ, ମନୋରଞ୍ଜନ ଦାସ, ବିଜୟ କୁମାର ରଣା, ସୌଭାଗ୍ୟ ରଥ, ସୁଜିତ ଦାସ, ଚିରଞ୍ଜିବୀ ପତି, ସନ୍ତୋଷ ମହାନ୍ତି, ମନମୋହନ ସ୍ୱାଇଁ, ଅନିରୁଦ୍ଧ ମିଶ୍ର, ଚକ୍ରଧର ମାଝି, କୁମର ଶ୍ରୀ, ସୁକେଶ ବେହେରା, ପ୍ରଫୁଲ୍ଲ କିଶୋର ସାହୁ ଏବଂ ଅଜୟ ଦାସ ଯୋଗ ଦେଇଥିଲେ ।

Leave A Reply

Your email address will not be published.