ପୁଣି ଟିଟ୍ବେଣ୍ଟି ବିଶ୍ବକପରେ ବଡ଼ ବିପର୍ଯ୍ୟୟ, ନ୍ୟୁଜିଲାଣ୍ଡକୁ ହରାଇଲା ଆଫଗାନିସ୍ତାନ

ଟି୨୦ ବିଶ୍ବକପରେ ପୁଣି ବଡ଼ ଓଲଟପାଲଟ । ସର୍ପରାଇଜ୍ ଦେଲା ଆଫଗାନିସ୍ତାନ । ହାରିଲା ନ୍ୟୁଜିଲାଣ୍ଡ । ୧୬୦ ରନର ଲକ୍ଷ୍ୟ ନେଇ ମାତ୍ର ୭୫ ରନରେ ଅଲଆଉଟ ହୋଇଛି ନ୍ୟଜିଲାଣ୍ଡ । ୮୪ ରନରେ ଜିତିଛି ଆଫଗାନିସ୍ତାନ । ଗ୍ରୁପ୍ ‘ସି’ରେ ତାର ଦୁଇଟି ଯାକ ମ୍ୟାଚ୍ ଜିତି ଆଫଗାନିସ୍ତାନ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବାର ସମ୍ଭାବନା ଉଜ୍ଜ୍ବଳ କରିଛି । ଭାରତୀୟ ସମୟ ଆଜି ସକାଳେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୬ ୱିକେଟରେ ୧୫୯ ରନ୍ କରିଥିଲା । ଓପ୍ନର ଗୁରବାଜ ୫୬ ବଲରେ ୮୦ ରନ୍ କରିଥିଲେ । ୫ଟି ଚୌକା ଓ ୫ଟି ଛକା ମାରିଥିଲେ ୱିକେଟ କିପର ଗୁରବାଜ ।

ଅନ୍ୟଙ୍କ ମଧ୍ୟରେ ଇବ୍ରାହିମ ଜଦ୍ରାନ ୪୪ ଏବଂ ଅଜମତଉଲ୍ଲା ୨୨ ରନ୍ କରିଥିଲେ । ଆମେରିକାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳା ଯାଇଥିଶ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଚାପର ବଶବର୍ତ୍ତୀ ହୋଇ ୧୫.୨ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୭୫ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା । ଆଫଗାନ ବୋଲରଙ୍କ ଆଗରେ ତାସପତ୍ତା ଭଳି ଝଡ଼ି ପଡ଼ିଥିଲେ କ୍ୟୁଇ ବ୍ୟାଟର । ଦୁଇଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିଥିଲେ । ଆଫଗାନିସ୍ତାନର ଫାରୁକି ଏବଂ ରସିଦ ଖାନ୍ ଉଭୟ ୧୭ ରନ୍ ଦେଇ ୪ଟି ଲେଖାଏଁ ୱିକେଟ୍ ନେଇଛନ୍ତି ।  ପୂର୍ବ ମ୍ୟାଚରେ ଉଗାଣ୍ଡା କୁ ୧୨୫ ରନରେ ହରାଇଥିଲା ଆଫଗାନିସ୍ତାନ ।