ଆଇସିସି ଟି୨୦ ବିଶ୍ୱକପ ୨୦୨୪ ଫାଇନାଲକୁ ନେଇ ଭାରତୀୟ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଆଜି ଫାଇନାଲରେ ଭାରତ ଏବଂ ସାଉଥ ଆଫ୍ରିକା ମୁହାଁମୁହିଁ ହେବେ । ଆଜି ମ୍ୟାଚ ବ୍ରିଜଟାଉନରେ ଭାରତୀୟ ସମୟ ରାତି ୮ଟାରେ ଖେଳାଯିବ । ଭାରତ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଫଗାନିସ୍ତାନକୁ ୯ ଓ୍ଵିକେଟ ହରାଇ ସାଉଥ ଆଫ୍ରିକା ଫାଇନାଲରେ ପ୍ରବେଶ କରିଛି ।
ଭାରତୀୟ ଟିମ ତୃତୀୟଥର ପାଇଁ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି । ଏହାପୂର୍ବରୁ ୨୦୦୭ ଏବଂ ୨୦୧୪ରେ ଫାଇନାଲରେ ପହଞ୍ଚିଥିଲା । ୨୦୦୭ରେ ଟିମ୍ ଟାଇଟଲ ଜିତିଥିଲା । ଏବେ ଭାରତ ପାଇଁ ଦ୍ୱିତୀୟ ସୁଯୋଗ । ଅନ୍ୟପକ୍ଷରେ ସାଉଥ ଆଫ୍ରିକା ପାଖରେ ଟି୨୦ ବିଶ୍ୱକପ ଜିତିବାର ପ୍ରଥମ ସୁଯୋଗ ରହିଛି ।
ତେବେ ଫାଇନାଲ ପାଇଁ ଦୁଇଟି ଯାକ ଟିମ୍ର ସମ୍ଭାବ୍ୟ ଏକାଦଶ ଉପରେ ଫ୍ୟାନ୍ସଙ୍କ ନଜର ରହିଛି । ତେବେ ଭାରତୀୟ ଟିମ୍ ପୂର୍ବମ୍ୟାଚର ପ୍ଲେଇଂ ଇଲେଭେନ ସହିତ ମଇଦାନକୁ ଓହ୍ଲାଇବ । ନିଜର ପୁରୁଣା ଟ୍ରିକରେ ସାଉଥ ଆଫ୍ରିକାକୁ ମାତ୍ ଦେବାକୁ ଚାହିଁବ ଭାରତୀୟ ଟିମ୍ । ଫାଇନାଲ ମ୍ୟାଚରେ ସଂଜୁ ସାମସନ, ମହମ୍ମଦ ସିରାଜ, ଯଶସ୍ୱୀ ଜୟସଓ୍ଵାଲ ଏବଂ ୟୁଜବେନ୍ଦ୍ର ଚହଲ ବାଦ୍ ପଡିପାରନ୍ତି ।
ସମ୍ଭାବ୍ୟ ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ରିଷଭ ପନ୍ତ (ଓ୍ଵିକେଟ କିପର), ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଜସପ୍ରୀତ ବୁମରା ।