ବିଶ୍ବକପ୍ ହାତେଇବା ପରେ ରୋହିତଙ୍କ ଆଖିରେ ଲୁହ, ସ୍ବପ୍ନ ପୂରଣ ହେଲା ବୋଲି କହିଲେ ଦ୍ରାବିଡ

ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି । ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି । ବିଶ୍ବ ବିଜୟୀ ଟିମ ଇଣ୍ଡିଆକୁ ତାରିଫ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସେ କହିଛନ୍ତି ପ୍ରତି ଖେଳାଳି ଟିମ ଇଣ୍ଡିଆ ଜର୍ସିରେ ପ୍ରେଣରା ଭରିଛନ୍ତି। ଯାହା କ୍ରିକେଟକୁ ନେଇ ସ୍ବପ୍ନ ଦେଖୁଥିବା ଭାରତୀୟ ଶିଶୁଙ୍କୁ ତାଙ୍କ ସ୍ବପ୍ନ ଆଡ଼କୁ ଆଉ ପାଦେ ଅଗ୍ରସର କରିବ। ୨୦୧୧ ବିଶ୍ବକପ ବିଜେତା ଭାରତୀୟ ଦଳରେ ଖେଳି ପାରିନଥିବା ବର୍ତ୍ତମାନର ଟିମ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ପାଇଁ ଏହା ଆନନ୍ଦର ମୁହୂର୍ତ୍ତ ବୋଲି କହିଛନ୍ତି ସଚିନ ତେନ୍ଦୁଲକର। ତାଙ୍କ ପାଇଁ ମୁଁ ବହୁତ ଖୁସି ବୋଲି କହିଛନ୍ତି। ସେହିପରି ଟିମ ଇଣ୍ଡିଆକୁ ଶୁଭେଛା ଜଣାଇଛନ୍ତି ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ। ବଢ଼ି ଯାଇଥିବା ତାଙ୍କ ହାର୍ଟ ବିଟ୍ କୁ ଟିମ ଇଣ୍ଡିଆ ଥଣ୍ଡା କରି ଦେଇଛି ବୋଲି ମାହି କହିଛନ୍ତି।

ଅନ୍ୟପଟେ ଟି-୨୦ ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆର ବିଜୟୀ ହେଲା ପରେ ସ୍ବପ୍ନ ପୂରଣ ହୋଇଛି ବୋଲି ରାହୁଲ ଦ୍ରାବିଡ କହିଛନ୍ତି । ଭାରତ ଟି-ଟ୍ବେଣ୍ଟି ଚାମ୍ପିୟନ ହେବା ପରେ ଖୁସିବ୍ୟକ୍ତ କରିଛନ୍ତି ଦ୍ରାବିଡ । ଖେଳାଳି ଭାବେ ବିଶ୍ବକପ୍ ଜିତିବା ମୋ ଭାଗ୍ୟରେ ନଥିଲା। ତେବେ କୋଚ୍ ଭାବେ ମୁଁ ଏହି ସୌଭାଗ୍ୟ ଅର୍ଜନ କରିଛି। ଏହି ବିଶ୍ବକପ ମୋ ପାଇଁ ବଡ଼ ଯାତ୍ରା ବୋଲି କହିଛନ୍ତି ରାହୁଲ। ଏପରିକି ଭାରତ ବିଜୟ ପରେ ସେ ଏତେ ଖୁସି ହୋଇଯାଇଥିଲେ ଯେ ସର୍ବଦା ବରଫ ଭଳି ଥଣ୍ଡା ରହୁଥିବା ଦ୍ରାବିଡ଼ ଚିତ୍କାର କରି ଓ ହାତକୁ ଉପରକୁ ଉଠାଇ ବିଜୟ ଉତ୍ସବ ପାଳନ କରିଥିଲେ। କାରଣ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିବେ ବୋଲି ପୂର୍ବରୁ ଦ୍ରାବିଡ଼ ଘୋଷଣା କରି ସାରିଛନ୍ତି।

ସେହିପରି ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଭାବବିହ୍ବଳ ହୋଇଯାଇଥିଲେ। ଏପରିକି ତାଙ୍କ ଆଖିରେ ଖୁସିର ଲୁହ ଭରି ଯାଇଥିଲା। ନିଜ ଭାବନାକୁ ବ୍ୟକ୍ତ କରିବାକୁ ଯାଇ ସେ କହିଥିଲେ ଯେ ଏବେ ୨୦୦୭, ୨୦୧୧ ବିଶ୍ବକପ୍ ସହ ୨୦୧୩ ଚାମ୍ପିଅନ୍ସ ଟ୍ରଫି ବିଜୟ ବି ମନେ ପଡ଼ିଯାଉଥିଲା। ମନରେ ଏଭଳି ଭାବନା ଆସୁଛି ଯେ ଏହାକୁ ବର୍ଣ୍ଣନା କରିବା ସହଜ ହେଉନି।