ତାଲିବାନୀ ବର୍ବରତା: କାଟିଲେ ମହିଳା ଭଲିବଲ ଖେଳାଳିଙ୍କ ମୁଣ୍ଡ

କାବୁଲ: ଆଫଗାନିସ୍ତାନର ଶାସନ କ୍ଷମତା ଦଖଲ କରିଥିବା ତାଲିବାନର ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସିଛି । ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଲିବାନ ଆଫଗାନିସ୍ତାନ ଭଲିବଲ ମହିଳା ଜୁନିୟର ଖେଳାଳି ମହଜବୀନ ହାକିମିଙ୍କ ମୁଣ୍ଡ କାଟି ପ୍ରାଣଦଣ୍ଡ ଦେଇଛି । ମହଜବୀନ ଆଫଗାନିସ୍ତାନ ଜୁନିୟର ମହିଳା ଜାତୀୟ ଭଲିବଲ ଦଳରେ ଖେଳିଥିଲେ । ତାଲିବାନ ଚଳିତ ମାସ ଆରମ୍ଭରେ ତାଙ୍କ ମୁଣ୍ଡ କାଟି ଦେଇଥିବା ଜଣେ ପ୍ରଶିକ୍ଷକ ଅଭିଯୋଗ କରିଛନ୍ତି ।

କୋଚ ସୁରୟା ଅଫଜାଲୀ କହିଛନ୍ତି ଯେ ଅକ୍ଟୋବରରେ ତାଲିବାନ ମେହଜବୀନ ହାକିମି ନାମକ ଜଣେ ମହିଳା ଖେଳାଳିଙ୍କୁ ହତ୍ୟା କରିଥିଲା । କିନ୍ତୁ ଏହି ଭୟଙ୍କର ହତ୍ୟା ବିଷୟରେ କେହି ଜାଣି ନଥିଲେ, କାରଣ ବିଦ୍ରୋହୀମାନେ ଏ ବିଷୟରେ କାହାକୁ କିଛି ନ କହିବାକୁ ତାଙ୍କ ପରିବାରକୁ ଧମକ ଦେଇଥିଲେ । ଅଶରଫ ଘାନି ସରକାର ପତନ ପୂର୍ବରୁ କାବୁଲ ମ୍ୟୁନିସିପାଲିଟି ଭଲିବଲ କ୍ଲବ ପାଇଁ ମହଜବୀନ ଖେଳିଥିଲେ ଏବଂ କ୍ଲବର ଅନ୍ୟତମ ତାରକା ଖେଳାଳି ଥିଲେ । ତା’ପରେ କିଛି ଦିନ ପୂର୍ବରୁ ସୋଶାଲ ମିଡିଆରେ ତାଙ୍କ କଟିଯାଇଥିବା ମୁଣ୍ଡ ଏବଂ ରକ୍ତ ଜୁଡୁବୁଡୁ ବେକର ଚିତ୍ର ସାମ୍ନାକୁ ଆସିଥିଲା । ଆଫଗାନିସ୍ତାନ ମହିଳା ଜାତୀୟ ଭଲିବଲ ଦଳର କୋଚ କହିଛନ୍ତି ଯେ ଅଗଷ୍ଟରେ ତାଲିବାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନେବା ପୂର୍ବରୁ ଦଳର କେବଳ ଦୁଇଜଣ ଖେଳାଳି ଦେଶ ଛାଡି ପଳାଇବାରେ ସକ୍ଷମ ହୋଇଥିଲେ । ପଛରେ ରହିଯାଇଥିବା ଅନ୍ୟ କେତେକ ମହିଳା ଖେଳାଳିଙ୍କ ମଧ୍ୟରେ ମହଜବୀନ ହାକିମି ମଧ୍ୟ ଥିଲେ ।

ଆଫଜାଲି ଦାବି କରିଛନ୍ତି ଯେ ଆଫଗାନିସ୍ତାନ ମହିଳା ଭଲିବଲ ଦଳର ସଦସ୍ୟ ଖୋଜିବା ପାଇଁ ଆତଙ୍କବାଦୀମାନେ ଅଧିକ ଆଗ୍ରହୀ ଥିଲେ, ଯେଉଁମାନେ ବିଦେଶୀ ତଥା ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ମିଡିଆ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ । ଭଲିବଲ ଦଳର ସମସ୍ତ ଖେଳାଳି ଏବଂ ବାକି ମହିଳା ଆଥଲେଟମାନେ ଖରାପ ସ୍ଥିତିରେ ଅଛନ୍ତି । ସମସ୍ତେ ପଳାୟନ କରି ଅଣ୍ଡରଗ୍ରାଉଣ୍ଡରେ ରହିବାକୁ ବାଧ୍ୟ ହୋଇଛନ୍ତି ବୋଲି ସେ କହିଛନ୍ତି ।

ଗତ ସପ୍ତାହରେ ଫିଫା ଏବଂ କତାର ସରକାର ଆଫଗାନିସ୍ତାନରୁ ଜାତୀୟ ଫୁଟବଲ ଦଳର ସଦସ୍ୟ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ୧୦୦ ରୁ ଅଧିକ ମହିଳା ଫୁଟବଲରଙ୍କୁ ସଫଳତାର ସହ ସ୍ଥାନାନ୍ତର କରିଥିଲେ । ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ସହିତ କ୍ରୀଡା, ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ମହିଳାମାନଙ୍କର ସମସ୍ତ କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି । ଅଧିକାଂଶ ଆଫଗାନିସ୍ତାନ ଝିଅମାନଙ୍କୁ ମାଧ୍ୟମିକ ବିଦ୍ୟାଳୟରେ ପଢିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.