ହକିକୁ ନୂଆ ଜୀବନ ଦେଇଛି ଓଡ଼ିଶା, ଟୋକିଓ ପରେ ପ୍ୟାରିସ୍‌ ଅଲିମ୍ପିକ୍ସରେ ବି ଦମ୍‌ ଦେଖାଇଲା ଭାରତୀୟ ଦଳ

ବିଶ୍ବକ୍ରୀଡାରେ ଫେରିଛି ଭାରତୀୟ ହକିର ଗୌରବ। ଅଲମ୍ପିକ୍ସରେ ବଡ ବଡ ଟିମ୍ କୁ ଚିତ୍ କରି ତାହା ପ୍ରମାଣିତ କରିଛି ଭାରତୀୟ ଦଳ । ଏଥର ଫାଇନାଲ ଖେଳି ପାରିନାହିଁ ସତ। କିନ୍ତୁ ଦମଦାର ଲଢେଇ କରି ସମସ୍ତଙ୍କ ହୃଦୟ ଜିତିଛି। ଅଷ୍ଟ୍ରେଲିଆ, ଗ୍ରେଟ୍‌ ବ୍ରିଟେନ ଭଳି ଶକ୍ତିଶାଳୀ ଦଳକୁ ପରାଜିତ କରି ବିଶ୍ବ ହକିରେ ଦେଖାଇଛି ଦମ । ଯାହାକୁ ନେଇ ଦେଶ ଓ ଦେଶ ବାହାରେ ଭାରତୀୟ ହକି ଦଳର ପ୍ରଶଂସା । ଆଉ ଭାରତୀୟ ହକିରେ ବିରାଟ ପରିବର୍ତ୍ତନ ପଛରେ ଓଡିଶାର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ।

ପୁଣି ଭଲ ଦିନ ଫେରିଛି ଭାରତୀୟ ହକିର । ଫେରୁଛି ପୂର୍ବ ଗୌରବ। ବଢୁଛି ଲୋକପ୍ରିୟତା।  ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଚମକପ୍ରଦ ପ୍ରଦର୍ଶନ ପରେ ସବୁଠି ଦଳର ପ୍ରଶଂସା ।  ଆଉ ତା ସହିତ ପ୍ରଶଂସିତ ହେଉଛି ଓଡିଶା । ସେମିଫାଇନାଲରେ ଶକ୍ତିଶାଳୀ ଜର୍ମାନୀ ବିପକ୍ଷରେ ଜୋରଦାର ଲଢି ମାତ୍ର ଗୋଟିଏ ଗୋଲ୍‌ ବ୍ୟଧାନରେ ପରାଜିତ ହୋଇଛି। କିନ୍ତୁ ଖେଳାଳିମାନଙ୍କର ଶତପ୍ରତିଶତ ପ୍ରଚେଷ୍ଟା ଜିଣି ନେଇଛି କୋଟି କୋଟି ହକି ପ୍ରେମୀଙ୍କ ହୃଦୟ । ତେବେ ଭାରତୀୟ ହକି ଟିମ୍ ର ଏହି ଗୌବରମୟ ଯାତ୍ରା ପଛରେ ରହିଛି ଓଡ଼ିଶାର ବଡ଼ ଅବଦାନ। ହକିର ପୂର୍ବ ଗୌରବ କାହାକୁ ଅଜଣା ଅଛପା ନୁହେଁ।

୧୯୮୦ ପରବର୍ତ୍ତୀ ସମୟରେ ପ୍ରଚାର ପ୍ରସାର ଏବଂ ପ୍ରୋତ୍ସାହନ ଅଭାବରୁ ଅସ୍ତିତ୍ବ ହରାଇବାକୁ ବସିଥିଲା ଭାରତୀୟ ହକି । ଅଲମ୍ପିକ୍ସରେ ଲଗାତାର ଭାବେ ସ୍ବର୍ଣ୍ଣ ପଦକ ଜିତି ଆସୁଥିବା ଦଳ ୨୦୦୮ରେ ଯୋଗ୍ୟତା ହାସଲରୁ ବଞ୍ଚିତ ହେଲା ।  ସାହାର ଇଣ୍ଡିଆ ଭାରତୀୟ ହକି ଟିମ୍ ପ୍ରାୟୋଜକ ଦାୟିତ୍ୱ ଛାଡିବା ପରେ ଭାରତୀୟ ହକି ପାଇଁ ସୃଷ୍ଟି ହୋଇଥିଲା ବିରାଟ ସଙ୍କଟ । ଆହୁରି ତଳକୁ ତଳକୁ ଚାଲିଗଲା ହକି ଇଣ୍ଡିଆର ପ୍ରଦର୍ଶନ । ହକି ପ୍ରତି ମୁହଁ ଫେରାଇ ଥିଲେ ଭାରତୀୟ ଦର୍ଶକ । ଠିକ୍ ଏତିକିବେଳେ ହକି ଇଣ୍ଡିଆକୁ ସହଯୋଗର ହାତ ବଢାଇ ଥିଲା ଓଡିଶା ।

୨୦୧୮ ମସିହାରୁ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ହେବାକୁ ଘୋଷଣା କରିଥିଲା । ୨୦୧୮ରୁ ୨୦୧୩ ପର୍ଯ୍ୟନ୍ତ ହକିର ପ୍ରାୟୋଜକ ଦାୟିତ୍ବ ନେଇଥିଲା ଓଡିଶା ଖଣି ନିଗମ। ଏଥିପାଇଁ ହକି ଇଣ୍ଡିଆ ସହିତ କରିଥିଲା ଚୁକ୍ତି। ଓଡିଶା ସରକାରଙ୍କ ସହ ୫ବର୍ଷ ଚୁକ୍ତି ସରିବା ପରେ ଆଉ ୧୦ ବର୍ଷ ପାଇଁ ପ୍ରାୟୋଜକ ସାଜିଥିଲା । ୨୦୨୩ ଫେବୃୟାରୀ ୧ ତାରିଖରୁ ୨୦୩୩ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ନେଇଥିଲା ବଡ଼ ନିଷ୍ପତ୍ତି। ଯାହା କେବଳ ହକି ଖେଳାଳି ନୁହନ୍ତି ଏହାର କର୍ମକର୍ତ୍ତା ଏବଂ ହକି ପ୍ରେମୀଙ୍କୁ ଉତ୍ସାହିତ କରିଥିଲା । ଏବେ କ୍ରୀଡାର ପ୍ରୋତ୍ସାହନ ପାଇଁ ଆଉ ପାଦେ ଆଗେଇଛି। ୨୦୩୬ ଯାଏଁ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହେବାକୁ ବିଧିବଦ୍ଧ ଘୋଷଣା କରିଛି ଓଡିଶା।

୨୦୧୮, ୨୦୨୩ ଲଗାତାର ଦୁଇ ଥର ହକି ବିଶ୍ବକପ୍ ଆୟୋଜନ କରି ବିଶ୍ବକୁ ଚମକାଇ ଦେଇଥିଲା ଓଡିଶା। ହକିକୁ ପ୍ରୋତ୍ସାହନ ସହିତ ହକି ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢାଇବା ପାଇଁ ପୂର୍ବ ସରକାର ନେଇଥିଲେ ବ୍ୟାପକ ପଦକ୍ଷେପ। ଏବେ ରାଜ୍ୟରେ ନୂଆ ସରକାର ଆସିବା ପରେ ଏହି ଧାରା ଆଗକୁ ବଢାଇଛନ୍ତି। ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ବଳରେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଚମକ ଦେଖାଇଥିଲା ଭାରତୀୟ ପୁରୁଷ ହକି ଦଳ। ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତି ସୃଷ୍ଟି କରିଥିଲା କୀର୍ତ୍ତିମାନ। ସେପଟେ ମହିଳା ହକି ଦଳ ପ୍ରଥମଥର ପାଇଁ ପ୍ରବେଶ କରିଥିଲା ଅଲମ୍ପିକ୍ସ ସେମିଫାଇନାଲରେ । ଓଡ଼ିଶା ସରକାରଙ୍କର ସହଯୋଗ ପାଇଁ ଦେଶରେ ସୃଷ୍ଟି ହୋଇଛି ହକି ବିପ୍ଳବ। ଭାରତ ହୋଇ ପାରିଛି ହକିର ପାୱାର ହାଉସ୍ । ଆଉ ବୃହତ୍‌ ହକି ପ୍ରତିଯୋଗିତା ଆୟୋଜନ, କ୍ରୀଡ଼ା ଭିତ୍ତିଭୂମି ଏବଂ ଆତିଥ୍ୟରେ ଓଡ଼ିଶା ହୋଇଛି ନମ୍ବର ଓ୍ଵାନ୍‌ ।

୨୦୧୮ରେ ଓଡିଶା ହକିର ପ୍ରାୟୋଜକ ହେବା ପରେ କଣ ପରିବର୍ତ୍ତନ ଆସିଛି? ହକି ଖେଳାଳିଙ୍କୁ କେବଳ ପ୍ରୋତ୍ସାହନ ମିଳିନି ବରଂ ବିଶ୍ବସ୍ତରରେ ବଢିଛି ଭାରତୀୟ ହକିର ମର୍ଯ୍ୟାଦା। କ୍ରିକେଟର ଲୋକପ୍ରିୟତା ସତ୍ବେ ହକିରେ ଭାରତର ପ୍ରଦର୍ଶନ ବଢାଇଛି ହକି ଫିଭର। ହକି ପ୍ରତି ପ୍ରୋତ୍ସାହନ ପାଇଁ ଓଡ଼ିଶାରେ ପ୍ରସ୍ତୁତ ହୋଇଛି ବିଶ୍ବସ୍ତରୀୟ ହକି ଷ୍ଟାଡିୟମ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ପରେ ରାଉରକେଲାରେ ନିର୍ମାଣ ହେଲା ସବୁଠୁ ବଡ ବିର୍ସାମୁଣ୍ଡା ହକି ଷ୍ଟାଡିୟମ। ବିଶ୍ବସ୍ତରୀୟ ଭିତ୍ତିଭୂମି ପାଇଁ ପ୍ରଦର୍ଶନରେ ଉନ୍ନତି ଆଣିଛନ୍ତି ଭାରତୀୟ ଖେଳାଳି। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ଖେଳାଳ। ୨୦୧୮ ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ସ୍ୱର୍ଣ୍ଣ, ୨୦୨୧ ଢାକା ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ବ୍ରୋଞ୍ଜ, ୨୦୨୨ ଏସିଆ କପରେ ବ୍ରୋଞ୍ଜ, ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ଓ ୨୦୨୩ ଏସିଆନ ଚାମ୍ପଅନ୍ସ ଟ୍ରଫିରେ ସାଉଁଟିଥିଲା ଗୋଲଡ ମେଡାଲ।

ଓଡିଶା ସରକାରଙ୍କ ସମର୍ଥନ ଯୋଗୁଁ ଭାରତୀୟ ହକିର ହୋଇଛି ପୁନରୁଥ୍ଥାନ। ଦେଶରେ ବୃଦ୍ଧି ପାଇଛି ହକିର ଲୋକପ୍ରିୟତା।  ପୁନରୁଦ୍ଧାର ସହ ଏହାର ପ୍ରଚାର ପ୍ରସାର ଦିଗରେ ଓଡିଶା ଯେଉଁ ଭୂମିକା ନିର୍ବାହ କରିଛି ତାହା କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ହୋଇଛି ଭୂୟସୀ ପ୍ରଶଂସା । ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଉତ୍କୃଷ୍ଟ ଆୟୋଜନ, ଉନ୍ନତ ଭିତ୍ତିଭୂମି ଏବଂ ଦର୍ଶକଙ୍କ ଉତ୍ସାହ ଦେଖି ସାରା ବିଶ୍ବ ଅଭିଭୂତ ।  ଆଉ ଏଥିରେ ରହିଛି ଆମ ରାଜ୍ୟ ଓଡ଼ିଶାର ପ୍ରମୁଖ ଭୂମିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.