ଭାରତୀୟ ଦଳକୁ ନେଇ ଏ ମଜାଦାର ଅଙ୍କ କଷା

ପଡ଼ିଆ ଭିତରେ କ୍ରିକେଟ୍‌ ଖେଳ ଯେତିକି ମଜାଦାର ସେହି ଖେଳ ଓ ଖେଳାଳିଙ୍କୁ ନେଇ ବାହାରେ ଚର୍ଚ୍ଚା ମଧ୍ୟ ସେତିକି ମଜାଦାର । ଏବେ ଏମିତି ଏକ ସଂଖ୍ୟାର ଖେଳ ଭାରତୀୟ ଦଳ ସହ ଯୋଡ଼ି ହୋଇ ଯାଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । କେମିତି କେଜାଣି ୯୪ ସଂଖ୍ୟାଟି ଏବେ ଟିମ୍‌ ଇଣ୍ଡିଆ ପଛରେ ଟ୍ୟାଗ୍‌ ହୋଇ ଲାଗି ଯାଇଛି । ଆସନ୍ତୁ ଜାଣିବା ଏଇ ୯୪ ସଂଖ୍ୟାର ଖେଳ ।

ଭାରତୀୟ ଦଳ ଏପର୍ଯ୍ୟନ୍ତ ୯୪ଟି ଟି-୨୦ ମ୍ୟାଚ୍‌ ଜିତି ସାରିଛି । ଏଯାଏ ମୋଟ ୯୪ ଜଣ ଖେଳାଳି ଦଳ ପକ୍ଷରୁ ଖେଳି ସାରିଛନ୍ତି । କହିବାକୁ ଗଲେ ଭାରତୀୟ ଦଳରେ ଖେଳାଳିଥିବା ୯୪ ଜଣ ଖେଳାଳି ହିସାବରେ ବିଜୟ ସଂଖ୍ୟା ମଧ୍ୟ ସମାନ । ଶୁକ୍ରବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବା ହର୍ଷଲ ପଟେଲ ହେଉଛନ୍ତି ଟି-୨୦ ଦଳରେ ଖେଳିବାରେ ଦେଶର ୯୪ତମ ଖେଳାଳି । ପୁଣି ନିଜର ପ୍ରଥମ ମ୍ୟାଚ୍‌ରେ ସେ ‘ପ୍ଲୋୟାର ଅଫ୍‌ ଦ ମ୍ୟାଚ୍‌’ ବନିଛନ୍ତି ।
ବିଶ୍ୱରେ ସର୍ବାଧିକ ଟି-୨୦ ମ୍ୟାଚ୍‌ ଜିତିଛି ପାକିସ୍ତାନ । ଏହା ସମୁଦାୟ ୧୧୩ଟି ମ୍ୟାଚ୍‌ ଜିତି ପ୍ରଥମ ସ୍ଥାନରେ ଥିବା ବେଳେ ଭାରତ ୯୪ ମ୍ୟାଚ୍‌ ଜିତି ଦ୍ୱିତୀୟରେ ରହିଛି । ଚଳିତ ସିରିଜ୍‌ରେ ଆଜି ନ୍ୟୁଜିଲାଣ୍ଡ ସହିତ ଭାରତର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଖେଳାଯିବ । ଏଥିରେ ଆଭେଶ ଖାନ୍‌ ଭାରତ ପକ୍ଷରୁ ଡେବ୍ୟୁ କରିବାର ସମ୍ଭାବନା ରହିଛି । ଆଉ ଭାରତ ଏହି ମ୍ୟାଚ୍‌ ମଧ୍ୟ ଜିତି ସିରିଜ୍‌ ମୂଳପୋଛ କରିନେବ ବୋଲି ଆଶା କରାଯାଉଛି । ଫଳରେ ସଂଖ୍ୟା ବଦଳି ୯୫ ଖେଳାଳି ଓ ୯୫ ବିଜୟ ହୋଇଯିବ । ଅବଶ୍ୟ ଟି-୨୦ରେ ଏପର୍ଯ୍ୟନ୍ତ ସର୍ବାଧିକ ୯୮ ଜଣ ଖେଳାଳିଙ୍କୁ ଖେଳାଇଛି ଅଷ୍ଟ୍ରେଲିଆ । ଯିଏକି ଭାରତ ଠାରୁ ଆଗରେ ରହିଛି ।

ଆଉ ଗୋଟିଏ ୯୪ ସଂଖ୍ୟା କଥା ଆସନ୍ତୁ ଜାଣିବା। ପୂର୍ବତନ ଅଧିନାୟକ ବିରାଟ କୋହଲି ଟି-୨୦ରେ ଦଳ ପକ୍ଷରୁ ସର୍ବାଧିକ ରନ୍‌ ସ୍କୋର କରିଛନ୍ତି । ସେ ୨୯ଟି ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଗୋଟିଏ ହେଲେ ଶତକ କରି ପାରି ନାହାନ୍ତି । ଏହି ଫର୍ମାଟ୍‌ରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୯୪ ରନ୍‌ ।

 

Leave A Reply

Your email address will not be published.