ଫର୍ମକୁ ଫେରିଲେ ଟିମ୍‌ ଇଣ୍ଡିଆକୁ ଜିତାଇଲେ ରାହୁଲ, ପ୍ରଥମ ଦିନିକିଆରେ ଭାରତ ୫ ଓ୍ଵିକେଟ୍‌ରେ ବିଜୟୀ

ନିଜର ଖରାପ ଫର୍ମ ପାଇଁ ଗତ କିଛି ଦିନ ହେବ ଭୀଷଣ ସମାଲୋଚନାର ଶିକାର ହୋଇଥିବା ରାହୁଲ ଆଜି ଫର୍ମକୁ ଫେରିଛନ୍ତି । ଅତ୍ୟନ୍ତ ଧୈର୍ଯ୍ୟର ସହ ଓ୍ଵିକେଟ୍‌ରେ ଜମି ରହି ବ୍ୟାଟିଂ କରିଥିଲେ । ଆଉ ଶେଷଯାଏ ଅପରାଜିତ ରହି ଭାରତକୁ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଜିତାଇ ଦେଇଛନ୍ତି ।

ମୁମ୍ବାଇ : ମୁମ୍ବାଇରେ ଗତ ୧୨ ବର୍ଷ ହେଲା ଜିତି ନଥିଲା ଟିମ୍‌ ଇଣ୍ଡିଆ । ଆଜି ଦଳକୁ ଜିତାଇ ଦେଲେ କେଏଲ୍‌ ରାହୁଲ । ନିଜର ଖରାପ ଫର୍ମ ପାଇଁ ଗତ କିଛି ଦିନ ହେବ ଭୀଷଣ ସମାଲୋଚନାର ଶିକାର ହୋଇଥିବା ରାହୁଲ ଆଜି ଫର୍ମକୁ ଫେରିଛନ୍ତି । ଅତ୍ୟନ୍ତ ଧୈର୍ଯ୍ୟର ସହ ଓ୍ଵିକେଟ୍‌ରେ ଜମି ରହି ବ୍ୟାଟିଂ କରିଥିଲେ । ଆଉ ଶେଷଯାଏ ଅପରାଜିତ ରହି ଭାରତକୁ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଜିତାଇ ଦେଇଛନ୍ତି । ମୁମ୍ବାଇର ଓ୍ଵାଙ୍ଖଡ଼େ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ଦିବାରାତ୍ର ଦିକିନିଆ ମ୍ୟାଚ୍‌ରେ ଆଜି ଭାରତ ୫ ଓ୍ଵିକେଟ୍‌ରେ ବିଜୟୀ ହୋଇ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ଗୋଟିଏ ସମୟରେ ଲାଗୁଥିଲା ଭାରତ ଏହି ମ୍ୟାଚ୍‌ ପ୍ରଥମରୁ ହାରିଗଲା ବୋଲି । ହେଲେ ରାହୁଲଙ୍କ ଚମତ୍କାର ବ୍ୟାଟିଂ ଖେଳର ମୋଡ଼ ବଦଳାଇ ଦେଲା । ରାହୁଲ ୯୧ ବଲ୍‌ରେ ୭୫ ରନ୍‌ ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୬୯ ବଲ୍‌ରେ ୪୫ ରନ୍‌ କରିଛନ୍ତି । ୧୮୯ ରନ୍‌ର ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାରତୀୟ ଦଳ ୫ ଓ୍ଵିକେଟ୍‌ ହରାଇ ୧୯୧ ରନ୍‌ କରି ବିଜୟୀ ହୋଇଛି ।

ଭାରତୀୟ ଦଳ ଆଜି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ପ୍ରଥମ କରି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା । ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ମହମ୍ମଦ ସାମି, ସିରାଜ ଏବଂ ଜାଡେଜା ଯେଭଳି ବୋଲିଂ କଲେ ସେଥିରେ ଅଷ୍ଟ୍ରେଲିଆ ୩୫.୪ ଓଭରରେ ଅଲ୍‌ଆଉଟ୍‌ ହୋଇ ୧୮୮ ରନ୍‌ କରି ପାରିଲା । ଓପ୍ନର ମିଚେଲ ମାର୍ଶଙ୍କ ୬୫ ବଲ୍‌ରେ ୮୧ ରନ୍‌ କଙ୍ଗାରୁ ଦଳକୁ ବଞ୍ଚାଇ ଦେଲା । ବିସ୍ଫୋରକ ପାଳିରେ ସେ ୧୦ଟି ଚୌକା ଓ ୫ଟି ଛକା ମାରିଥିଲେ । ଭାରତ ପକ୍ଷରୁ ସାମି ଓ ସିରାଜ ୩ଟି ଲେଖାଏଁ ଏବଂ ରବୀନ୍ଦ୍ର ଜାଡେଜା ୨ଟି ଓ୍ଵିକେଟ୍‌ ନେଇଥିଲେ ।
ସେତେବେଳେ ଲାଗୁଥିଲା କି ଭାରତ ୧୮୯ ରନ୍‌ର ଟାର୍ଗେଟ୍‌କୁ ଖୁବ୍‌ ସହଜରେ ହାସଲ କରିନେବ । ଅଷ୍ଟ୍ରେଲିଆ ବୋଲର ହେଲେ ମିଚେଲ ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସ୍‌ ଆରମ୍ଭରୁ ଘରୋଇ ଦଳକୁ ଝଟ୍‌କା ପରେ ଝଟ୍‌କା ଦେଇ ଚାଲିଲେ । ଯାହାଫଳରେ ମାତ୍ର ୩୯ ରନ୍‌ରେ ଭାରତର ୪ଟି ଓ୍ଵିକେଟ୍‌ ଖସି ପଡ଼ିଲା । ଓପ୍ନର ଇସାନ କାସାନ ୧, ଶୁବମନ ଗିଲ ୨୦, ବିରାଟ କୋହଲି ୪ ଓ ସୂର୍ଯ୍ୟ କୁମାର ଯାଦବ ବିନା ସ୍କୋରରେ ଆଉଟ୍‌ ହୋଇଥିଲେ । ଷ୍ଟାର୍କ ପଞ୍ଚମ ଓଭରର ଶେଷ ଦୁଇଟି ବଲ୍‌ରେ ଲଗାତର ଭାବେ କୋହଲି ଓ ସୂର୍ଯ୍ୟ କୁମାରଙ୍କୁ ଆଉଟ୍‌ କରି ଭାରତର ବ୍ୟାଟିଂ ଦୁର୍ଗକୁ ଦୋହଲାଇ ଦେଇଥିଲେ ।
ଏହାପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ୍‌ ରାହୁଲ ପାଳି ସମ୍ଭାଳି ଥିଲେ । ପାଣ୍ଡ୍ୟା ୨୫ ରନ୍‌ କରି କିଛି ସମୟ ପାଇଁ ରାହୁଲଙ୍କୁ ସହଯୋଗ ଦେଇଥିଲେ । ସେମାନେ ସ୍କୋରକୁ ୮୩ ରନ୍‌ ପର୍ଯ୍ୟନ୍ତ ଟାଣି ଆଣିବା ପରେ ଜାଡେଜା ଓ ରାହୁଲଙ୍କ ଯୋଡ଼ି ଆରମ୍ଭ ହୋଇଥିଲା । ସେମାନେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ୩୯.୫ ଓଭରରେ ଜିତାଇ ଦେଇଥିଲେ । ଏହି ଅସମାପ୍ତ ଷଷ୍ଠ ଯୋଡ଼ିରେ ୧୦୮ ରନ୍‌ ସଂଗୃହୀତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.