ନିର୍ବନ୍ଧ କଲେ କି ଷ୍ଟାର୍ କ୍ରିକେଟର ରିଙ୍କୁ ସିଂ…, ସାଂସଦ ପ୍ରିୟା ସରୋଜଙ୍କୁ ହେବେ ବାହା !

ଭାରତୀୟ ଟିମର ଯୁବ ଷ୍ଟାର୍ କ୍ରିକେଟର ରିଙ୍କୁ ସିଂଙ୍କର ପ୍ରିୟା ସରୋଜଙ୍କ ସହ ନିର୍ବନ୍ଧ ହୋଇଥିବା ଚର୍ଚ୍ଚା ହେଉଛି । ପ୍ରିୟା ସମାଜବାଦୀ ପାର୍ଟିର ସାଂସଦ । ଗତକାଲି ଉଭୟଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଥିବା ଖବର ଚର୍ଚ୍ଚାକୁ ଆସିଥିବା ବେଳେ ଏହାକୁ କିନ୍ତୁ ଖଣ୍ଡନ କରିଛନ୍ତି ପ୍ରିୟାଙ୍କ ବାପା ତୁଫାନୀ ସରୋଜ । ଗଣମାଧ୍ୟମ ସହ କଥାବର୍ତ୍ତା ବେଳେ ସେ ଉଭୟଙ୍କ ନିର୍ବନ୍ଧ ହୋଇ ନ ଥିବା କହିଛନ୍ତି ।
ସେ କହିଛନ୍ତି ଯେ ଉଭୟଙ୍କ ବିବାହକୁ ନେଇ କଥାବାର୍ତ୍ତା ଚାଲିଛି । ପ୍ରିୟାଙ୍କ ପରିବାର ଲୋକେ ରିଙ୍କୁଙ୍କ ଘରକୁ ଯାଇଥିଲେ, କିନ୍ତୁ ଦୁହିଁଙ୍କର ନିର୍ବନ୍ଧ ହୋଇନାହିଁ । ତୁଫାନୀ ସରୋଜ ଜାନୁୟାରୀ ୧୬ରେ ଅଲିଗଡ଼ ଆସିଥିଲେ । ତେବେ ପ୍ରିୟା ସରୋଜ ସାଂସଦ ଦଳ ସହ ଥିରୁଅନନ୍ତପୁରମରେ ଥିବା ବେଳେ ରିଙ୍କୁ ଟି-୨୦ ସିରିଜ୍ ପାଇଁ ପ୍ରସ୍ତୁତିରେ ଲାଗିଛନ୍ତି ।
୨୬ ବର୍ଷୀୟା ପ୍ରିୟା ସରୋଜ ୨୦୨୪ ଲୋକସଭା ନିର୍ବାଚନରେ ମଛଲିସହର ଆସନରୁ ସମାଜବାଦୀ ପାର୍ଟି ଟିକେଟରେ ଲଢ଼ି ବିଜୟ ହାସଲ କରିଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୩୫୮୫୦ ଭୋଟରେ ପରାସ୍ତ କରିଥିଲେ । ୧୯୯୮ ନଭେମ୍ବର ୨୩ରେ ଜନ୍ମିତ ପ୍ରିୟା ଦିଲ୍ଲୀସ୍ଥିତ ଏୟାରଫୋର୍ସ ଗୋଲ୍ଡେନ ଜୁବଲି ଇନଷ୍ଟିଚ୍ୟୁଟରୁ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ କରିବା ପରେ ନୋଏଡାରେ ଏଲଏଲବି ଡିଗ୍ରୀ ହାସଲ କରିଥିଲେ ।
ପ୍ରିୟାଙ୍କ ବାପା ତୁଫାନୀ ସରୋଜ ମଧ୍ୟ ୩ ଥର ଲୋକସଭା ସାଂସଦ ରହିସାରିଛନ୍ତି । ବର୍ତ୍ତମାନ ସେ କେରାକତ ଆସନରୁ ବିଧାୟକ ଅଛନ୍ତି ।
ସେପଟେ ୨୭ ବର୍ଷୀୟ ରିଙ୍କୁ ସିଂ ଭାରତ ପାଇଁ ୨ଟି ଦିନିକିଆ ଏବଂ ୩୨ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହି ସମୟରେ ସେ ଆନ୍ତର୍ଜାତିକ ଦିନିକିଆରେ ୨୭.୫୦ ହାରାହାରିରେ ୫୫ ରନ୍ କରିଛନ୍ତି । ଟି-୨୦ରେ ରିଙ୍କୁ ୫୦୭ ରନ୍ ସଂଗ୍ରହ କରିଛନ୍ତି । ଏହି ଯୁବ କ୍ରିକେଟର ସମୁଦାୟ ୫୦ ଫାର୍ଷ୍ଟ କ୍ଲାସ୍, ୬୨ ଲିଷ୍ଟ-ଏ ଏବଂ ୧୫୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି ।
ଫାର୍ଷ୍ଟ କ୍ଲାସ୍ କ୍ରିକେଟରେ ରିଙ୍କୁ ୫୪.୬୮ ହାରାହାରିରେ ୩୩୩୬ ରନ୍ କରିଛନ୍ତି, ଯେଉଁଥିରେ ୭ ଶତକ ଏବଂ ୨୨ ଅର୍ଦ୍ଧଶତକ ରହିଛି ।