ବୁମ୍ ବୁମ୍ ବୁମରାଙ୍କ ଜଲୱା, ପର୍ଥରେ ଆଣ୍ଠେଇ ଦେଲେ ଆଷ୍ଟ୍ରେଲିଆକୁ

ପର୍ଥ : ବର୍ଡ଼ର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଓ ପ୍ରଥମ ଦିନ । ପ୍ରଥମ ଦିନ ଖେଳରେ ମୋଟ୍ ୧୭ଟି ୱିକେଟର ପତନ ଘଟିଛି । ଏଇଥିରୁ ଜାଣି ହେଉଛି କି ପିଚ୍ କେମିତି ଅଛି । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ଠିକ୍ ୧୫୦ ରନ୍ କରି ଅଲଆଉଟ୍ ହେବା ପରେ ଘରୋଇ ଅଷ୍ଟ୍ରେଲିଆ ଦଳ ମାତ୍ର ୬୭ ରନରେ ୭ଟି ୱିକେଟ୍ ହରାଇ ୮୩ ରନ୍ ପଛରେ ଅଛି । ପେସ୍ ବୋଲର ବୁମରାଙ୍କ ଅଧିନାୟକତ୍ବରେ ଖେଳିଥିବା ଟିମ୍ ଇଣ୍ଡିଆର ପେସ୍ ବୋଲରମାନେ କମାଲ କରିଛନ୍ତି । ନିଜେ ବୁମରା ୧୭ ରନରେ ୪ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ୨ଟି ଏବଂ ହର୍ଷିତ ରାଣା ଗୋଟିଏ ୱିକେଟ୍ ଦଖଲ କରିଛନ୍ତି ।

ପର୍ଥର ଫାଷ୍ଟ ପିଚରେ ଭାରତୀୟ ବ୍ୟାଟର ଝୁଣ୍ଟିବେ ବୋଲି ଆଶା କରାଯାଉଥିଲା । ଆଉ ଟସ୍ ଜିତି ପ୍ରଥମେ ଦଳ ବ୍ୟାଟିଂ ନେବା ପରେ ଠିକ୍ ସେଇଆ ହିଁ ହେଲା । ୩ୟ ଓଭରର ପ୍ରଥମ ବଲରେ ଫର୍ମରେ ଥିବା ଓପ୍ନର ଯଶସ୍ବୀ ଜୟସ୍ବାଲ ଖାତା ଖୋଲିବା ପୂର୍ବରୁ ଆଉଟ୍ ହେଲେ । ତା ପରେ ଧାଡ଼ି ଲାଗିଲା ପାଭିଲିୟନକୁ । ଅଭିଜ୍ଞ କେଏଲ୍ ରାହୁଲ ୨୬, ରୁଷଭ ପନ୍ତ ୩୭ ଏବଂ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ନୀତିଶ ରେଡ୍ଡୀ ସର୍ବାଧିକ ୪୧ ରନ୍ କରିଥିଲେ । ବିରାଟ କୋହଲି ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ହାଜେଲଉଡ୍ ୨୯ ରନରେ ୪ଟି ଏବଂ ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ ଏବଂ ମିଚେଲ ମାର୍ଶ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

TEAM INDIA
image source : bcc twitter

ପରେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରି ଭାରତ ଭଳି ୩ୟ ଓଭରରେ ନାଥନ ମାକସ୍ବିନୀଙ୍କୁ ହରାଇଥିଲା । ତାଙ୍କୁ ବୁମରା ଆଉଟ୍ କରିଥିଲେ । ଏହାପରେ ସପ୍ତମ ଓଭରରେ ବୁମରା ଲଗାତର ଚତୁର୍ଥ ଓ ପଞ୍ଚମ ବଲରେ ଅନ୍ୟତମ ଓପ୍ନର ଖ୍ବାଜା ଏବଂ ପରବର୍ତ୍ତୀ ବ୍ୟାଟର ଷ୍ଟିଭ୍ ସ୍ମିଥଙ୍କୁ ଆଉଟ୍ କରି ଦେଇଥିଲେ । ଏହାପରେ ସିରାଜ ଓ ହର୍ଷିତ ସେମାନଙ୍କ କମାଲ ଦେଖା ଇଥିଲେ । ୩୮ ରନ୍ ବେଳକୁ କଙ୍ଗାରୁ ଦଳ ୫ଟି ପ୍ରମୁଖ ୱିକେଟ୍ ହରାଇ ସାରିଥିଲା । ପରେ ଆଜି ଦିନର ଶେଷ ବେଳକୁ ବୁମରା ଅଷ୍ଟ୍ରେଲିଆ ଅଧିନାୟକ କମିନ୍ସଙ୍କୁ ପନ୍ତଙ୍କ ଦ୍ବାରା ୱିକେଟ୍ ପଛରେ କ୍ୟାଚଆଉଟ୍ କରାଇ ଭାରତକୁ ସପ୍ତମ ସଫଳତା ଆଣି ଦେଇଥିଲେ । ୱିକେଟ କିପର ଆଲେକ୍ସ କ୍ୟାରୀ ୧୯ ଓ ମିଚେଲ ଷ୍ଟାର୍କ ୬ ରନ୍ କରି ଅପରାଜିତ ଅଛନ୍ତି ।

ଏବେ ଭାରତୀୟ ଦଳ ଭଲ ସ୍ଥିତିରେ ରହିଛି । ପିଚ୍ ଯେଭଳି ଖେଳ ଦେଖାଉଛି ତାହା ଯଦି ଜାରି ରହେ ତେବେ ମ୍ୟାଚ୍ ଅତି ବେଶିରେ ତିନି ଦିନରେ ଶେଷ ହୋଇଯିବ । ଗତ ୭୦ ବର୍ଷ ମଧ୍ୟରେ ପ୍ରଥମଥର ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ ୧୭ଟି ୱିକେଟ୍ ଖସିଛି ।

ଭାରତ ପ୍ରଥମ ଇନିଂସ୍ : ୧୫୦ (କେଏଲ୍ ରାହୁଲ ୨୬, ରୁଷଭ ପନ୍ତ ୩୭, ନୀତିଶ ରେଡ୍ଡୀ ସର୍ବାଧିକ ୪୧ ରନ୍)

ଅଷ୍ଟ୍ରେଲିଆ : ୬୭/୭ (ବୁମରା ୪/୧୭, ସିରାଜ ୨/୧୭)

You might also like