ଶେଷରେ ବୃଥା ହୋଇଗଲା ଆହତ ରୋହିତ ଶର୍ମାଙ୍କ ଲଢ଼େଇ, ବାଂଲାଦେଶ ଠାରୁ ୫ ରନ୍ରେ ହାରିଗଲା ଭାରତ

ଢାକା : ଭାରତକୁ ୫ ରନ୍ରେ ହରାଇଲା ବାଂଲାଦେଶ ଏହା ସହିତ ଦିନିକିଆ ସିରିଜ୍କୁ ୨-୦ରେ ଜିତି ନେଲା । ଆଜି ଖେଲା ଯାଇଥିବା ଦ୍ୱିତୀୟ ଦିନିକିଆରେ ବଡ଼ ବଡ଼ିଆ ସବୁ ଫେଲ ମାରିଲେ । ତେବେ ଆହତ ଥିବା ସତ୍ତ୍ୱେ ଶେଷ ଭାଗରେ ଅଧିନାୟକ ରୋହିତ ଶର୍ମା ଲଢ଼େଇ କରି ମଧ୍ୟ ଦଳକୁ ଜିତାଇ ପାରିଲେ ନାହିଁ ।
ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ମେହେଦି ହାସନ ମିରାଜଙ୍କ ଶତକ ବଳରେ ୭ ଓ୍ଵିକେଟ୍ରେ ୨୭୧ ରନ୍ ସଂଗ୍ରହ କରିଥିଲା । ପରେ ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍ ବିନିମୟରେ ୨୬୬ ରନ୍ ହିଁ କରି ପାରିଥିଲା ।
ଭାରତ ପକ୍ଷରୁ ଶ୍ରେୟସ ଆୟର ୧୦୨ ବଲ୍ରେ ୮୨ ରନ୍ କରିଥିଲେ । ଅକ୍ଷର ପଟେଲ ୫୬ ବଲ୍ରେ ୫୬ ରନ୍ ଏବଂ ରୋହିତ ଶର୍ମା ୨୮ ବଲ୍ରେ ଅପରାଜିତ ୫୧ ରନ୍ କରିଥିଲେ । ରୋହିତ ୫ଟି ଛକା ଓ ୩ଟି ଚୌକା ମାରି ଦଳକୁ ବିଜୟର ନିକଟତର କରାଇଥିଲେ । ହେଲେ ରନ୍ ହାର ଅଧିକ ଥିବାରୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇ ପାରିଲେ ନାହିଁ ।