ଗାବା ଟେଷ୍ଟ ପାଇଁ ବ୍ରିସବେନରେ ପହଞ୍ଚିଲା ଭାରତୀୟ ଟିମ୍, ବିସିସିଆଇ ସେୟାର କଲା ଭିଡିଓ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୩ୟ ଟେଷ୍ଟ ପାଇଁ ବ୍ରିସବେନରେ ପହଞ୍ଚିଛି ଭାରତୀୟ ଦଳ । ବର୍ଡର-ଗାଭାସ୍କର ଟ୍ରଫି ଏବେ ୧-୧ରେ ସ୍ଥିତିରେ ରହିଛି । ତୃତୀୟ ମ୍ୟାଚ୍‌ ୧୪ ତାରିଖରୁ ଗାବାରେ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ ଭାରତ ଜିତିବା ପରେ ପିଙ୍କ୍‌ ବଲ୍‌ ଟେଷ୍ଟରେ ୧୦ ୱିକେଟରେ ପରାଜିତ ହୋଇଥିଲା । ଭାରତୀୟ ଟିମ ବ୍ରିସବେନରେ ପହଞ୍ଚିବାର ଭିଡିଓ ବିସିସିଆଇ ନିଜ ସୋସିଆଲ ମିଡିଆରେ ସେୟାର କରିଛି ।

ଡିସେମ୍ବର ୧୪ରୁ ଗାବାରେ ତୃତୀୟ ଟେଷ୍ଟ ଆରମ୍ଭ ହେବ । ଆଡିଲେଡରେ ମ୍ୟାଚ୍‌ ଶୀଘ୍ର ଶେଷ ହୋଇଯାଇଥିବାରୁ ବିରାଟ କୋହଲି, ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ଭଳି ଖେଳାଳି ତୃତୀୟ ଟେଷ୍ଟ ପାଇଁ ବ୍ରିସବେନର ଗାବାକୁ ଯିବା ପୂର୍ବରୁ ଆଡିଲେଟରେ ନେଟ୍ସ କରିଥିଲେ ।  ଏହି ସମୟରେ ବ୍ୟାଟିଂ ଅର୍ଡରରେ କୌଣସି ପରିବର୍ତ୍ତନ ନ ହେବାର ସଙ୍କେତ ମିଳିଛି । ନେଟ୍ସରେ ବିରାଟ କୋହଲି ଉଭୟ ବ୍ୟାକଫୁଟ ଓ ଫ୍ରଣ୍ଟଫୁଟର ଅଭ୍ୟାସ କରିଥିଲେ। ରୋହିତ ମଧ୍ୟକ୍ରମରେ କେମିତି ବ୍ୟାଟିଂ କରିବେ, ତା’ର ଅଭ୍ୟାସ କରିଥିଲେ । ନେଟ୍ସ ବେଳେ ପ୍ରଥମେ କେଏଲ ରାହୁଲ ଓ ଯଶସ୍ୱୀ ବ୍ୟାଟିଂ କରିବାକୁ ଆସିଥିଲେ । ଏହାପରେ ଗିଲ ଆସିଥିଲେ । ଶେଷରେ ବିରାଟ, ରୋହିତ ଓ ଋଷଭ ପନ୍ତ ନେଟ୍ସ କରିଥିଲେ ।

ସୂଚନାଯୋଗ୍ୟ, ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ଲାଗାତାର ୨ଟି ଟେଷ୍ଟ ସିରିଜରେ ମାତ୍ ଦେଇଥିଲା । ୨୦୨୦ ଶେଷରେ ୪ ଟେଷ୍ଟ ସିରିଜକୁ ୨-୧ରେ ହରାଇଥିଲା । ଏହି ସମୟରେ ଗାବା ଟେଷ୍ଟରେ ଭାରତୀୟ ଟିମ୍ ୩ ୱିକେଟରେ କଙ୍ଗାରୁ ଟିମକୁ ହରାଇଥିଲା ।

ଏହି ସିରିଜରେ ରିଷଭ ପନ୍ତ, ମହମ୍ମଦ ସିରାଜ, ଶୁବମନ ଗିଲ୍ ଏବଂ ଅଲରାଉଣ୍ଡର ୱାଂଶିଟନ ସୁନ୍ଦର ବିଜୟ ପାଇଁ ଦମଦାର ପ୍ରଦର୍ଶନ କରିଥିଲେ । ଏହି ଟେଷ୍ଟରେ ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଶାର୍ଦ୍ଦୁଳ ଠାକୁର ମଧ୍ୟ କଙ୍ଗାରୁ ଟିମର ଅଣ୍ଟା ଭାଙ୍ଗିଦେଇଥିଲେ ।

୨୦୨୧ରେ ଗାବା ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ ରନ୍ କରିଥିଲା । ମାତ୍ର କଙ୍ଗାରୁ ଟିମ୍ ୩୩ ରନରେ ଆଗୁଆ ରହି ଦ୍ବିତୀୟ ଇନିଂରେ ୨୯୪ ରନ୍ କରି ଭାରତକୁ ୩୨୮ ରନର ଟାର୍ଗେଟ ଦେଇଥିଲା । ଜବାବରେ ଭାରତୀୟ ଟିମ୍ ୧୮୬ ରନରେ ୬ ୱିକେଟ ହରାଇଥିଲା । କିନ୍ତୁ ୱାଂଶିଟନ ସୁନ୍ଦର ୬୨ ଏବଂ ଶାର୍ଦ୍ଦୁଳଙ୍କ ୬୭ ରନରେ ଭାରତୀୟ ଟିମ ବିଜୟ ହାସଲ କରିଥିଲା ।