ବାଂଲାଦେଶ ସିରିଜ ପାଇଁ ଦଳ ଘୋଷଣା କଲା ବିସିସିଆଇ, ବାଦ ପଡ଼ିଲେ ରବିନ୍ଦ୍ର ଜାଡ଼େଜା ଓ ୟଶ୍‌ ଦୟାଲ

କେନ୍ୟୁଜ୍‌ : ବାଂଲାଦେଶ ସିରିଜ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଭାରତୀୟ ଦଳ ଘୋଷଣା କରିଛି । ଘୋଷଣା ହୋଇଥିବା ଦଳରେ ଚୟନକର୍ତ୍ତା ଦୁଇ ଜଣ ଷ୍ଟାର ଖେଳାଳି ରବିନ୍ଦ୍ର ଜାଡ଼େଜା ଓ ୟଶ୍‌ ଦୟାଲଙ୍କୁ ଦଳରୁ ବାଦ ଦେଇଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତ ପରେ ବାଂଲାଦେଶ ଗସ୍ତରେ ଯିବ ଭାରତୀୟ ଦଳ, ଏଥିରେ ୩ଟି ଏକ ଦିବସୀୟ ମ୍ୟାଚ୍‌ ଖେଳିବ ଭାରତ । ଏଥିପାଇଁ ଦଳ ଘୋଷଣା ହୋଇ ସାରିଥିବା ବେଳେ ଆହତଜନିତ ସମସ୍ୟା ପାଇଁ ରବିନ୍ଦ୍ର ଜାଡ଼େଜା ଓ ୟଶ୍‌ ଦୟାଲ ବାଦ ପଡ଼ିଛନ୍ତି ।

ରବିନ୍ଦ୍ର ଜାଡ଼େଜାଙ୍କ ଆଣ୍ଠୁରେ ଆଘାତ ଯୋଗୁ ସେ ଏସିଆ କପ, ଟି-୨୦ ବିଶ୍ୱକପ ଏବଂ ନ୍ୟୁଜିଲାଣ୍ଡ ସିରିଜରୁ ବାଦ ପଡ଼ିଥିଲେ । ଏ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନ ଥିବା ବେଳେ ବିସିସିଆଇ ଟିମ୍‌ ଦ୍ୱାରା ଚିକିତ୍ସିତ ହେଉଛନ୍ତି । ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଛନ୍ତି, ଜାଡ଼େଜାଙ୍କୁ ଟିମ୍‌ରେ ଶାମିଲ କରିବା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନିର୍ଭର କରୁଛି । ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା ବେଳେ ସେ କହିଛନ୍ତି, ଜାଡ଼େଜା ଯଦି ଟେଷ୍ଟ ସିରିଜ ପୂର୍ବରୁ ଫିଟ୍‌ ହୋଇଯିବେ, ତେବେ ତାଙ୍କୁ ଦଳରେ ନିଶ୍ଚିତ ସୁଯୋଗ ମିଳିବ । ରବିନ୍ଦ୍ର ଜାଡ଼େଜାଙ୍କ ବଦଳରେ ଦଳରେ ଅଲରାଉଣ୍ଡର ଶାହାବାଜ ଅହମଦଙ୍କ ଉପରେ ଚୟନକର୍ତ୍ତା ଭରସା କରିଛନ୍ତି ।

୪ ଡିସେମ୍ବରରେ ଆରମ୍ଭ ହେବ ବାଂଲାଦେଶ ସିରିଜ:

ବାଂଲାଦେଶ ସିରିଜରେ ପ୍ରଥମ ଏକ ଦିବସୀୟ ମ୍ୟାଚ୍‌ ଡିସେମ୍ବର ୪ରେ ମୀରପୁରରେ ଖେଳାଯିବ । ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସ ତରଫରୁ ଭଲ ପ୍ରଦର୍ଶନ କରିଥିବା ୟଶ୍‌ ଦୟାଲ ପ୍ରଥମ କରି ଟିମ୍‌ରେ ସ୍ଥାନ ପାଇଥିବା ବେଳେ ସେ ମଧ୍ୟ ଆହତଜନିତ କାରଣରୁ ବାଂଲାଦେଶ ସିରିଜରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଛନ୍ତି ଯୁବ ଦ୍ରୁତ ବୋଲର କୁଲଦୀପ ସେନ୍‌ ।

ବାଂଲାଦେଶ ଗସ୍ତରେ ଭାରତୀୟ ଦଳ:


ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପ-ଅଧିନାୟକ), ଶିଖର ଧାଓ୍ଵନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ ଆୟାର, ରାହୁଲ ତ୍ରିପାଠି, ଋଷଭ ପନ୍ଥ (ଓ୍ଵିକେଟ କିପର), ଇଶାନ କିଷନ (ଓ୍ଵିକେଟ କିପର), ଶାହାବାଜ ଅହମଦ, ଅକ୍ଷର ପଟେଲ, ଓ୍ଵାଶିଂଟନ ସୁନ୍ଦର, ଶର୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଦୀପକ ଚହର ଓ କୁଲଦୀପ ସେନ୍‌ ।