ଜୟସ୍ବାଲ ଓ ରାହୁଲଙ୍କ କାଉଣ୍ଟର ଆଟାକରେ ଘାଇଲା ହେଲେ କଙ୍ଗାରୁ ବୋଲର

ପର୍ଥ : ପ୍ରଥମ ଦିନ ୫ ରନରେ ପଡ଼ିଥିଲା ପ୍ରଥମ ୱିକେଟ୍ । ଆଜି ଦ୍ବିତୀୟ ଦିନରେ ବିନା ୱିକେଟରେ ୧୭୨ ରନ୍ । ଇଏ ହେଉଛି ଭାରତୀୟ ବ୍ୟାଟରଙ୍କ ଖେଳ । ଅଷ୍ଟ୍ରେଲିଆ ସହ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ଦ୍ବିତୀୟ ଇନିଂସ ଆରମ୍ଭ କରି ଭାରତୀୟ ଦଳ କରିଛି ରେକର୍ଡ଼ ଭାଗିଦାରୀ । ଓପ୍ନର ଯଶସ୍ବୀ ଜୟସ୍ବାଲ ଏବଂ କେଏଲ୍ ରାହୁଲ ପାଳି ଆରମ୍ଭ କରି ଘରୋଇ ଟିମ୍ ବୋଲରଙ୍କୁ ଖୁବ୍ ଧୂଲେଇ କରିଛନ୍ତି । ଫଳରେ ଟିମ୍ ଇଣ୍ଡିଆ ମୋଟ୍ ୨୧୮ ରନରେ ଆଗୁଆ ରହିଛି ।

ଗତକାଲି ପର୍ଥ ପିଚରେ ୧୭ଟି ୱିକେଟର ପତନ ଘଟିଥିବା ବେଳେ ଆଜି ମାତ୍ର ୩ଟି ୱିକେଟ୍ ପଡ଼ିଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସକୁ ୧୦୪ ରନରେ ସୀମିତ ରଖିବା ପରେ ଭାରତୀୟ ଦଳର ଦୁଇ ଓପ୍ନର ଖୁବ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ । ଜୟସ୍ବାଲଙ୍କ ସହ ଆଜି ରାହୁଲ ଓପନ୍ କରିଥିଲେ । ପ୍ରତିପକ୍ଷ ବୋଲରଙ୍କୁ ପ୍ରଭାବ ପକାଇବାର ସୁଯୋଗ ଦେଇନଥିଲେ ସେମାନେ । ଆଜିର ଖେଳ ଶେଷ ବେଳକୁ ଯୁବ ଓପ୍ନର ଜୟସ୍ବାଲ ୯୦ ରନ୍ ଏବଂ ରାହୁଲ ୬୨ ରନ୍ କରିଛନ୍ତି ।

ଏମାନଙ୍କ ୧୭୨ ରନ୍ ଭାଗିଦାରୀ ଭାରତ ପକ୍ଷରୁ ସର୍ବାଧିକ । ଯାହା ୨୦ ବର୍ଷର ରେକର୍ଡ଼ ଭାଙ୍ଗିଛି । ୨୦୦୪ରେ ଆକାଶ ଚୋପ୍ରା ଓ ବୀରେନ୍ଦ୍ର ସେହବାଗଙ୍କ ୧୨୩ ରନ୍ ଭାଗିାରୀ ରେକର୍ଡ଼କୁ ଏମାନେ ଭାଙ୍ଗିଛନ୍ତି । ନିଜର ଅପରାଜିତ ୯୦ ରନ୍ ଇନିଂସରେ ଜୟସ୍ବାଲ ୨ଟି ଛକା ଓ ୭ଟି ଚୌକା ମାରିଛନ୍ତି । ଏହା ସହିତ ଏହି ଯୁବ ବ୍ୟାଟର ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ଼ ମଧ୍ୟ କରିଛନ୍ତି । ସେ ମୋଟ ୩୪ଟି ଛକା ମାରି ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମାକକୁଲମଙ୍କ ୩୩ ଛକା ରେକର୍ଡ଼କୁ (୨୦୧୪ ମସିହା) ଭାଙ୍ଗିଛନ୍ତି ।

ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ କମାଲ ଯୋଗୁଁ ମାତ୍ର ୧୦୪ ରନରେ ଅଲଆଉଟ୍ ହୋଇଥିଲା ଅଷ୍ଟ୍ରେଲିଆ ଦଳ । ଅଧିନାୟକ ଯଶପ୍ରୀତ ବୁମରା ୫ ୱିକେଟ୍ ଦଖଲ କରିଥିଲେ । ପ୍ରଥମ ପାଳିରେ ଭାରତ କରିଥିଲା ୧୫୦ ରନ୍ ।

ଏବେ ଟିମ୍ ଇଣ୍ଡିଆ ଭଲ ସ୍ଥିତିରେ ରହିଛି । ତେବେ ଘରୋଇ ଟିମ୍ ଉପରେ ଚାପ ପକାଇବା ପାଇଁ ବଡ଼ ଲିଡ୍ ନେବା ଜରୁରୀ ।

ସ୍କୋର : ଭାରତ-୧୫୦ ଓ ୧୭୨/୦ । ଅଷ୍ଟ୍ରେଲିଆ-୧୦୪ ।

You might also like