ନୂଆ ଜର୍ସିରେ ଟି-୨୦ ବିଶ୍ୱକପ ଖେଳିବ ଟିମ୍‌ ଇଣ୍ଡିଆ, ଲଞ୍ଚ ହେବା ପୂର୍ବରୁ ରୋହିତ-ହାର୍ଦ୍ଦିକଙ୍କ ଭିଡିଓ ଭାଇରଲ

ଭାରତୀୟ କ୍ରିକେଟ ଟିମ୍‌ ଆସନ୍ତା ମାସରୁ ଅଷ୍ଟ୍ରେଲଆରେ ଟି-୨୦ ବିଶ୍ୱକପ୍‌ ନୂଆ ଜର୍ସିରେ ଖେଳିବ। ଟିମର ଅଫିସିଆଲ କିଟ୍‌ ସ୍ପନ୍ସର MPL Sports ଏହା ଘୋଷଣା କରିଛି। ଏମପିଏଲ ସ୍ପୋଟର୍ସ ଘୋଷଣା କରିଛି କି, ମେନ ଇନ ବ୍ଲୁ ଆଗାମୀ ଟି-୨୦ ବିଶ୍ୱକପ୍‌ ୨୦୨୨ରେ ନୂଆ ଜର୍ସିରେ ଖେଳିବେ। ଏମପିଏଲ୍‌ ସ୍ପୋଟର୍ସ ଟ୍ଵିଟରରେ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ରୋହିତ ଶର୍ମା, ଶ୍ରେୟସ ଆୟର ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ନୂଆ ଜର୍ସିରେ ନଜର ଆସିଛନ୍ତି।

ଏମପିଏଲ୍‌ ସ୍ପୋଟର୍ସ ଜାରି କରିଥିବା ଭିଡିଓରେ ରୋହିତ କହିଛନ୍ତି, ପ୍ରଂଶସକ ଭାବେ ଆପଣମାନେ ଆମକୁ କ୍ରିକେଟର କରିଛନ୍ତି, ଯାହା ଆମେ ଅଟୁ। ସେହିପରି ଶ୍ରେୟସ କହିଛନ୍ତି, ‘ ଖେଳ ସମାନ ନୁହେଁ, ହେଲେ ଆପଣମାନେ ଆମକୁ ଉତ୍ସାହିତ କରନ୍ତି। ଟି-୨୦ ବିଶ୍ୱକପ ୨୦୨୨ ପାଇଁଆୟର ଷ୍ଟାଣ୍ଡବାଇ ଖେଳାଳି ଭାବେ ଟିମରେ ସାମିଲ ହୋଇଛନ୍ତି। ଚୟନ କମିଟି ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଟିମ୍‌ ଘୋଷଣା କରିଛି।

ଭିଡିଓରେ ରୋହିତ ଏବଂ ହାର୍ଦ୍ଦିକ ଟ୍ରାକ ସୁଟ୍‌ ପିନ୍ଧିଥିବା ବେଳେ ଭିତରେ ଜର୍ସି ପିନ୍ଧିଛନ୍ତି। ଜର୍ସିର ରଙ୍ଗ ନିଶ୍ଚିତ ଭାବେ ଗତ ଜର୍ସି ରଙ୍ଗ ଠାରୁ ଭିନ୍ନ ରହିବ। ଏମପିଏଲ୍‌ ୨୦୨୦ରେ ସ୍ପନ୍ସର ହେବା ପରେ ଏହା ଟିମ୍‌ ଇଣ୍ଡିଆର ତୃତୀୟ ଜର୍ସି ହେବ।

ଭାରତୀୟ ଟିମ୍‌ ଏବେ ଯେଉଁ ଜର୍ସି ପିନ୍ଧୁଛି, ତା’ର ରଙ୍ଗ ନେଭି ବ୍ଲୁ। କିନ୍ତୁ ଏମପିଏଲ ଦ୍ୱାରା କରାଯାଇଥିବା ଟ୍ଵିଟ୍‌ରୁ ଲାଗୁଛି କି, ଏଥର ଟିମ୍‌ ଇଣ୍ଡିଆର ଜର୍ସି ରଙ୍ଗ ହାଲୁକା ବ୍ଲୁ ରହିବ। ତେବେ ଏପର୍ଯ୍ୟନ୍ତ ଅଫିସିଆଲ ଭାବେ ଜର୍ସି ଲଞ୍ଚ ହୋଇନାହିଁ।

ସୂଚନାଯୋଗ୍ୟ, ଆଇସିସି ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ। ଟି-୨୦ ବିଶ୍ୱକପ୍‌ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇବେ ରୋହିତ ଶର୍ମା। ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ସିରିଜ ପାଇଁ ଟିମ୍‌ ଘୋଷଣା ହେବାର ଥିଲା। ତେବେ ଟି-୨୦ବିଶ୍ୱକପ ପାଇଁ ୧୫ ଜଣିଆ ସ୍କ୍ଵାର୍ଡ ଘୋଷଣା କରିଛି। ଆଉ ୪ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖିଛି ବିସିସିଆଇ।

ରୋହିତ ଶର୍ମା ଅଧିନାୟକ ଭାବେ ଚୟନ ହୋଇଥିବା ବେଳେ କେଏଲ ରାହୁଲ ଉପ ଅଧିନାୟକ ଭାବେ ଚୟନ ହୋଇଛନ୍ତି। ବିଶ୍ୱକପ ପାଇଁ ଦଳକୁ ଫେରିଛନ୍ତି ଜସପ୍ରୀତ ବୁମରା। ଟିମରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ(ଓ୍ଵିକେଟ କିପର), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂଙ୍କୁ ଚୟନ କରାଯାଇଛି।

ସେହିପରି ଷ୍ଟାଣ୍ଡବାଏ ଖେଳାଳି ଭାବେ ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର ଭାବେ ରହିଛନ୍ତି।

Also Read : ଟି-୨୦ ବିଶ୍ୱକପ ପୂର୍ବରୁ ସାଉଥ ଆଫ୍ରିକାକୁ ବଡ ଝଟକା, ମୁଖ୍ୟ କୋଚ ପଦରୁ ଇସ୍ତଫା ଦେବେ ମାର୍କ ବାଉଚର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.