ନାଚି ନାଚି ଟ୍ରଫି ଆଣିଲେ ରୋହିତ ଶର୍ମା, ବିରାଟ ଓ ଅର୍ଶଦୀପ କଲେ ଭାଙ୍ଗଡା ଡ୍ୟାନ୍ସ : ଭିଡିଓ ଜିତିନେଲା ସମସ୍ତଙ୍କ ମନ

ଭାରତୀୟ ଟିମ୍‌ ସାଉଥ ଆଫ୍ରିକାକୁ ୭ ରନରେ ହରାଇ ଟି୨୦ ବିଶ୍ୱକପ ୨୦୨୪ ଟ୍ରଫି ହାତେଇଛି । ଭାରତ ଶେଷ ଥର ପାଇଁ ଆଇସିସି ଟ୍ରଫି ୨୦୧୩ରେ ଜିତିଥିଲା । ଏହାପରେ ଟିମ୍‌ ଅନେକ ଥର ଆଇସିସି ଫାଇନାଲରେ ପହଞ୍ଚିଛି କିନ୍ତୁ ଟ୍ରଫି ହାତେଇନଥିଲା । କିନ୍ତୁ ଏଥର ଟ୍ରଫି ହାତେଇ କୋଟି କୋଟି ଫ୍ୟାନ୍ସଙ୍କ ହୃଦୟ ଜିତିନେଇଛି । ରୋହିତ ଶର୍ମା ଭାରତ ପାଇଁ ଟି୨୦ ବିଶ୍ୱକପ ଟ୍ରଫି ଜିତିଥିବା ଦ୍ୱିତୀୟ ଅଧିନାୟକ ହୋଇଛନ୍ତି ।

ଭାରତୀୟ ଟିମ୍‌ ଫାଇନାଲ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଟି୨୦ ବିଶ୍ୱକପ ଟ୍ରଫି ନେବାପାଇଁ ଯାଉଥିବା ବେଳେ ନାଚି ନାଚି ଯାଉଥିବାର ଦେଖିବାକୁ ମିଳିଛି । ବହୁତ ଖୁସି ହୋଇ ଭିନ୍ନ ଅନ୍ଦାଜରେ ଟ୍ରଫି ନେବାକୁ ଯାଇଥିଲେ । ତାଙ୍କୁ ବିସିସିଆଇ ସଚିବ ଜୟ ଶାହ ଟ୍ରଫି ଧରାଇଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ମଧ୍ୟ ବେବି ଷ୍ଟେପ୍‌ କରୁଥିବାର ନଜର ଆସିଛନ୍ତି । ଟି୨୦ ବିଶ୍ୱକପ ଟ୍ରଫି ଜିତିବା ଖୁସି ସମସ୍ତ ଖେଳାଳିଙ୍କ ମୁହଁରେ ଦେଖିବାକୁ ମିଳିଛି ।

ଟି୨୦ ବିଶ୍ୱକପ ଜିତିବା ପରେ ବିରାଟ କୋହଲି ଏବଂ ଅର୍ଶଦୀପ ସିଂ ମଇଦାନରେ ତୁନକ ତୁନକ ଗୀତରେ ଭାଙ୍ଗଡା ନାଚୁଥିବାର ଦେଖିବାକୁ ମିଳିଛନ୍ତି । ଏହି ସମୟରେ ମହମ୍ମଦ ସିରାଜ, ଅକ୍ଷର ପଟେଲ ଏବଂ ରିଙ୍କୁ ସିଂ ମଧ୍ୟ ଏହି ଗୀତରେ ନାଚୁଥିବାର ନଜର ଆସିଛନ୍ତି । ବିଜୟ ପରେ ସମସ୍ତ ଖେଳାଳି ମସ୍ତି ମୁଡରେ ନଜର ଆସିଛନ୍ତି ।

ଚଳିତ ଟି୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲି ବେଶ୍‌ କିଛି ଭଲ ପ୍ରଦର୍ଶନ କରିନଥିଲେ । ପ୍ରତି ମ୍ୟାଚରେ ତାଙ୍କ ଖରାପ ପ୍ରଦର୍ଶନକୁ ନେଇ ଆଲୋଚନା ହେଉଥିଲା । କିନ୍ତୁ ଫାଇନାଲ ମ୍ୟାଚରେ ବଢିଆ ପ୍ରଦର୍ଶନ କରି ସମସ୍ତ ମୁହଁକୁ ବନ୍ଦ କରିଦେଇଥିଲେ । ବିରାଟଙ୍କ ବଢିଆ ବ୍ୟାଟିଂ ଯୋଗୁଁ ଟିମ୍‌ ସମ୍ମାନଜନକ ସ୍କୋର କରିପାରିଥିଲା । ଏହି ମ୍ୟାଚରେ ବିରାଟ ୭୬ ରନ୍‌ କରିଥିଲେ । ତେବେ ଭାରତ ଟି୨୦ ବିଶ୍ୱକପ ଜିତିବା ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ସନ୍ନ୍ୟାସ ଘୋଷଣା କରିଛନ୍ତି ।