ଭାରତ-ପାକିସ୍ତାନ ଟି୨୦ ମ୍ୟାଚ୍ରେ ଆତଙ୍କବାଦୀ ବିପଦ, ISIS ଦେଲା ‘ଲୋନ୍ ଓଲ୍ଫ’ ଆକ୍ରମଣର ଧମକ !

ଟି-୨୦ କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜୁନ୍ ୯ରେ ଅନୁଷ୍ଠିତ ହେବ ହାଇ ପ୍ରୋଫାଇଲ୍ ମ୍ୟାଚ୍ । ଏହି ମ୍ୟାଚ୍ ପୂର୍ବରୁ ନ୍ୟୁୟର୍କର ଲଙ୍ଗ୍ ଆଇଲାଣ୍ଡରେ ଥିବା ନାସାଉ କାଉଣ୍ଟି କ୍ରିକେଟ୍ ଷ୍ଟାଡିୟମରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଛି । କୁହାଯାଉଛି ଯେ ଏହି ମ୍ୟାଚରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ । ତେଣୁ ଆକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ସୁରକ୍ଷା କର୍ମୀମାନେ ପ୍ରସ୍ତୁତି କରୁଛନ୍ତି । ଏହି ମ୍ୟାଚ୍ରେ କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ମ୍ୟାଚ୍ ସମୟରେ ଚାରିଆଡ଼େ ପୋଲିସ ଛାଉଣୀ ରହିବେ ।
ରିପୋର୍ଟ ମୁତାବକ, ଆଇଏସ୍ଆଇଏସ୍-କେ (ଇସଲାମିକ୍ ଷ୍ଟେଟ୍ ଖୁରାସାନ) ‘ଲୋନ୍ ଓଲ୍ଫ’ ଆକ୍ରମଣର ଧମକ ଦେଇଛି । ଏ ନେଇ ଆଇଏସ୍ଆଇଏସ୍ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ ସ୍ୱାଧୀନ ଆକ୍ରମଣକାରୀଙ୍କ ଦ୍ୱାରା ମ୍ୟାଚ୍ରେ ବ୍ୟାଘାତ ସୃଷ୍ଟି କରାଯିବା କଥା କୁହାଯାଇଛି । ନାସାଉ କାଉଣ୍ଟି ପୋଲିସ୍ କମିଶନର ପାଟ୍ରିକ୍ ରାଇଡର୍ ଏହି ଧମକୁ ନିଶ୍ଚିତ କରି ସୁରକ୍ଷା ବ୍ୟବସ୍ଥା ବିଷୟରେ କହିଛନ୍ତି । କହି ରଖୁଛୁ ଯେ ‘ଲୋନ୍ ଓଲ୍ଫ’ ଆକ୍ରମଣରେ କୌଣସି ବ୍ୟକ୍ତି ନିଜେ ପ୍ଲାନିଂ କରି ଘଟଣା ଘଟାଇଥାଏ ।
ନ୍ୟୁୟର୍କ ଗଭର୍ଣ୍ଣର କେଥି ହୋଚୁଲ ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚ୍ ସହ ଜଡ଼ିତ ସୁରକ୍ଷାକୁ ନେଇ ତତ୍ପର ହୋଇଉଠିଛନ୍ତି । ଗଭର୍ଣ୍ଣର କହିଛନ୍ତି ଯେ ମ୍ୟାଚ୍ ସୁରୁଖୁରୁରେ ହେବା ପାଇଁ ସେ ସୁରକ୍ଷା ଅଧିକାରୀମାନଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି । ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟର ବୟାନ ମୁତାବକ, ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖାଯାଇଛି । ବର୍ତ୍ତମାନ ମ୍ୟାଚ୍କୁ ନେଇ ସୁରକ୍ଷାଜନିତ କୌଣସି ବିପଦ ନାହିଁ । କେଥି ହୋଚୁଲ ‘X’ରେ ଏ ନେଇ ପୋଷ୍ଟ ସେୟାର କରିଛନ୍ତି ।
ନ୍ୟୁୟର୍କର ଆଇଜନହାୱାର୍ ପାର୍କ ଷ୍ଟାଡିୟମରେ ଜୁନ୍ ୩ରୁ ୧୨ ପର୍ଯ୍ୟନ୍ତ ୮ଟି ଆଇସିସି ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ । ଏଥିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟ ମ୍ୟାଚ୍ ଅନୁଷ୍ଠିତ ହେବ । ସୂଚନାଥାଉ କି, କ୍ରିକିନଫୋ ଏବଂ କ୍ରିକବଜ୍ର ରିପୋର୍ଟରେ କୁହାଯାଇଛି ଯେ ଆଇସିସି ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ଜୁନ୍ ୯ରେ ହେବାକୁ ଥିବା ରୋମାଞ୍ଚକର ମ୍ୟାଚରେ ସୁରକ୍ଷାକୁ ନେଇ ବିପଦ ରହିଛି । ଏହି କାରଣରୁ ଆଇଜନହାୱାର୍ ପାର୍କ ଷ୍ଟାଡିୟମରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।