ସାର ଡନ ବ୍ରାଡମ୍ୟାନ, ଯିଏ ମାତ୍ର ୩ ଓଭରରେ କରିଥିଲେ ଶତକ

ଆଜିର ଦିନରେ ବିଶ୍ୱ କ୍ରିକେଟର ଏପରି ଜଣେ ତାରକାଙ୍କ ଜନ୍ମ ହୋଇଥିଲା, ଯାହାଙ୍କ ନାମ ସମଗ୍ର ଦୁନିଆରେ ବେଶ ପରିଚିତ। ତାଙ୍କର ନାମ ହେଉଛି ଡୋନାଲ୍ଡ ଜର୍ଜ ବ୍ରାଡମ୍ୟାନ। ଏହି ତାରକାଙ୍କ ଜନ୍ମ ଅଷ୍ଟ୍ରେଲିଆରେ ୧୯୦୮ ମସିହା ଅଗଷ୍ଟ ୨୭ ତାରିଖରେ ହୋଇଥିଲା। ବିଶ୍ୱ କ୍ରିକେଟରେ ବ୍ରାଡମ୍ୟାନ ଏକମାତ୍ର ବ୍ୟାଟସମ୍ୟାନ, ଯାହାଙ୍କ ରନ କରିବାର ହାର ୯୯ ଉପରେ ରହିଥିଲା। କେବଳ ଏତିକି ନୁହେଁ, ବ୍ରାଡମ୍ୟାନଙ୍କ ନାମରେ ଆଉ ଏକ କୀର୍ତ୍ତିମାନ ମଧ୍ୟ ରହିଛି।
ଏହି ଅଷ୍ଟ୍ରେଲିଆ ଖେଳାଳି ୧୯୩୧ରେ ଏକ ବିସ୍ଫୋରକ ଇଂନିସ ଖେଳି ମାତ୍ର ୩ ଓଭରରେ ଶତକ ଅର୍ଜନ କରିଥିଲେ। ଏହା ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚିତ। କିନ୍ତୁ ବ୍ରାଡମ୍ୟାନ ନିଜ ଟିମ୍ ପାଇଁ ଏପରି କାରନାମା କରି ଦେଖାଇଥିଲେ। ଏହି ଇଂନିସରେ ୧୪ଟି ଛକା ଏବଂ ୨୯ ଚୌକା ରହିଥିଲା। ଏହି ମ୍ୟାଚରେ ସର୍ବମୋଟ ୨୫୬ ରନ କରିଥିଲେ ବ୍ରାଡମ୍ୟାନ।
୩ ଓଭରରେ ଶତକ :
ଆପଣମାନେ ଭାବୁଥିବେ ତିନି ଓଭରରେ ୧୮ଟି ବଲ ରହିଥାଏ। ତେଣୁ ଶତକ କିପରି କରିବା ସହଜ ନୁହେଁ। କିନ୍ତୁ ଆଇସିସି ନିୟମ ମୁତାବକ ଏବେ ଗୋଟେ ଓଭରକୁ ୬ଟି ବଲ ପକାଯାଉଥିବା ବେଳେ ପୂର୍ବରୁ ଗୋଟେ ଓଭରକୁ ୮ଟି ବଲ ପକାଯାଉଥିଲା। ସେଥିପାଇଁ ବ୍ରାଡମ୍ୟାନଙ୍କୁ ଶତକ କରିବା ପାଇଁ ୨୪ଟି ବଲ ଖେଳିବାକୁ ମିଳିଥିଲା। ପ୍ରଥମ ଓଭରରେ ୩୩ ରନ, ଦ୍ୱିତୀୟ ଓଭରରେ ୪୦ ଏବଂ ତୃତୀୟ ଓଭର ୨୭ ରନ କରିଥିଲେ ଏହି ଧୂଆଁଧାର ବ୍ୟାଟସମ୍ୟାନ।
ବ୍ରାଡବ୍ୟାନଙ୍କ ଟେଷ୍ଟ ରେକର୍ଡ :
ଅଷ୍ଟ୍ରେଲିଆ ପାଇଁ ବ୍ରାଡମ୍ୟାନ ସର୍ବମୋଟ ୫୨ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚଗୁଡିକରେ ବ୍ରାଡମ୍ୟାନ ୬୯୯୬ ରନ କରିଛନ୍ତି। ଯେଉଁଥିରେ ୨୯ଟି ଶତକ ଏବଂ ୧୩ଟି ଅର୍ଦ୍ଧ ଶତକ ରହିଛି। ଏହି ସମୟରେ ସେ ତ୍ରିଶତକ କରିବାରେ ପ୍ରଥମ କ୍ରିକେଟର ରହିଥିଲେ। ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହ୍ଵାଗ ବ୍ରାଡମ୍ୟାନଙ୍କ ଏହି ରେକର୍ଡକୁ ୨୦୦୯ରେ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ୭ ରନରେ ଆଉଟ ହୋଇଯାଇଥିଲେ।
ସବୁଠାରୁ ଅଧିକ ଦ୍ୱିଶତକ ରେକର୍ଡ
ବ୍ରାଡମ୍ୟାନଙ୍କ ନାମରେ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଦ୍ୱିଶତକ କରିଥିବା ରେକର୍ଡ ରହିଛି। ସେ ପାଖାପାଖି ୧୨ ଥର ୨୦୦ ରୁ ଊର୍ଦ୍ଧ୍ୱ ରନ କରିଛନ୍ତି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଶ୍ରୀଲଙ୍କାର କୁମାର ଶାଙ୍ଗାକାରଙ୍କ ନାମ ରହିଛି। ସେ ୧୧ ଥର ଦ୍ୱିଶତକ କରିଛନ୍ତି।