ଫିଫା ବିଶ୍ୱକପ ପାଇଁ ଆୟୋଜିତ ଷ୍ଟାଡିୟମର ଭିତ୍ତିଭୂମି ନିର୍ମାଣ ପଛରେ କେନ୍ଦ୍ରାପଡ଼ା କୁଶଳୀ କାରିଗର, ଜିଲ୍ଲାର ୪୦୦ ଶହ କାରିଗର କରୁଥିଲେ କାମ

କେନ୍ୟୁଜ୍‌: ଗତ ନଭେମ୍ବର ୨୦ରେ କାତାରରେ ଆରମ୍ଭ ହୋଇଯାଇଛି ଫିଫା ବିଶ୍ୱକପ । ସାରା ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଲାଗିରହିଛି । କିନ୍ତୁ, ଏକ ବଡ଼ କଥା ହେଉଛି ଯେଉଁ ଷ୍ଟାଡିୟମରେ ଫିଫା ବିଶ୍ୱକପ ଆୟୋଜନ କରାଯାଇଛି ତାର ସୁନ୍ଦର ସାଜସଜା ଏବଂ ଭିତ୍ତିଭୂମିର ନିର୍ମାଣ ପଛରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର କୁଶଳୀ କାରିଗର ଅଛନ୍ତି । ନିଜର କାରିଗରୀ କଳାର ଯାଦୁରେ ଷ୍ଟାଡିୟମକୁ ଆକର୍ଷଣୀୟ କରାଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଶହ ଶହ କାରିଗର କେନ୍ଦ୍ରାପଡ଼ା ଜିଲ୍ଲାରୁ ଯାଇ କାତାରରେ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ କରୁଛନ୍ତି ।ସୂଚନା ଅନୁସାରେ ଫିଫା ବିଶ୍ୱକପ ପାଇଁ ୨୦୧୦ରୁ ଷ୍ଟାଡିୟମର ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଥିଲା ।

କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇ ବ୍ଲକ୍‌ର ଇମିଗ୍ରେସନ କନ୍‌ସଲଟାଣ୍ଟ ସଂସ୍ଥା କାତାରରେ କାମ କରିବାକୁ ଥିବା କାରିଗରମାନଙ୍କର ଭିଜା ଏବଂ ଆବଶ୍ୟକୀୟ ପ୍ରମାଣ ଯୋଗାଡ଼ କରିଥିଲେ । ପଟାମୁଣ୍ଡାଇ ବ୍ଲକ୍‌ର ଖଡ଼ିପାଲ ଗ୍ରାମର ବିଶ୍ୱନାଥ ମହାଳିକ କାତାରରେ ୨୦୧୪ରୁ ଏକ କମ୍ପାନୀ ଅଧୀନରେ ଲେସେଲ ଷ୍ଟାଡିୟମରେ କାମ କରି ଆସୁଛନ୍ତି । ସେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୪୦୦ ପ୍ଲମ୍ବର, ଫିଟର ଏବଂ ଫୋରମେନଙ୍କୁ ନେଇ ସେହି ଷ୍ଟାଡିୟମ ନିର୍ମାଣ କାମରେ ଲଗାଇଛନ୍ତି । ଜିଲ୍ଲାର ଅନ୍ୟ କାରିଗରଙ୍କୁ ଷ୍ଟାଡିୟମର ଅଟ୍ଟାଳିକା ନିର୍ମାଣ ଏବଂ ଷ୍ଟାଡିୟମ ପରିଚାଳନାରେ ଲଗାଇଛନ୍ତି । ତେବେ ବିଦେଶକୁ ଯାଇ ଫିଫା ବିଶ୍ୱକପ ପାଇଁ ଷ୍ଟାଡିୟମ ନିର୍ମାଣ କରିଥିବାରୁ କାରିଗରମାନେ ଖୁସି ବ୍ୟକ୍ତ କରିଛନ୍ତି ।

କୁଶଳୀ କାରିଗରଙ୍କ ପାଇଁ କେନ୍ଦ୍ରାପଡ଼ା ଖ୍ୟାତି ଲାଭ କରିଛି :

ପାଣି ପାଇପ କାମ ଠାରୁ ଘର ତିଆରି ଏମିତି ଅନେକ କାମରେ କେନ୍ଦ୍ରାପଡ଼ାର କୁଶଳୀ କାରିଗର ବହୁତ ନାଁ କରିଛନ୍ତି । ଶହ ଶହ ସଂଖ୍ୟାରେ କତାର ଯାଇଥିବା କାରିଗରମାନେ ଷ୍ଟାଡିୟମରେ କାମ କରି ନିଜର ରୋଜଗାର କରିପାରିଛନ୍ତି । ନିଖୁଣ ଭାବରେ କାମ କରି କାତାରର ଷ୍ଟାଡିୟମକୁ ସଜାଇଥିବାରୁ ପରିବାର ଏବଂ ଅଞ୍ଚଳବାସୀ ବେଶ୍‌ ଖୁସି ଏବଂ ଗର୍ବ ଅନୁଭବ କରୁଛନ୍ତି । ନିଜ ରାଜ୍ୟରେ ଏହି କାରିଗରମାନଙ୍କୁ କାମ ମିଳୁନଥିବାରୁ ସେମାନେ ଘର ପରିବାର ଛାଡ଼ି ବିଦେଶରେ ଯାଇ କାମ କରୁଥିବାରୁ ପରିବାର ଲୋକେ ଦୁଃଖ ପ୍ରକାଶ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.