ବିଗ୍ ମନି ବିଗ୍ ଫ୍ଲପ୍ : ଆଇପିଏଲରେ ଏମାନେ କିଣା ହୋଇଥିଲେ ସର୍ବାଧିକ ଦାମରେ ହେଲେ ଫିଲଡରେ ମାରିଛନ୍ତି ଫେଲ୍

ଇଣ୍ଡିଆନ୍ ପ୍ରିମୟର ଲିଗ-୨୦୨୫ । ଏବେ ତାର ଶେଷ ଚରଣରେ ପହଞ୍ଚିଛି ଆଇପିଏଲ୍ । ଅନେକ ନୂଆ ଷ୍ଟାର ସେମାନଙ୍କ ଦମ୍ ଦେଖାଇଥିଲା ବେଳେ ବିରାଟ କୋହଲି, ରୋହିତ ଶର୍ମାଙ୍କ ଭଳି ଭେଟେରାନ୍ ଖେଳାଳି ମଧ୍ୟ ସେମାନଙ୍କ ସଫଳତା ଜାରି ରଖିଛନ୍ତି । ତେବେ ଏସବୁ ଭିତରେ ଯେଉଁମାନଙ୍କର ବିଫଳତା ସ୍ପଷ୍ଟ ବାରି ହୋଇ ପଡୁଛି ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା । ଏହି ଖେଳାଳିମାନେ କିଣା ହୋଇଛନ୍ତି କୋଟି କୋଟି ଟଙ୍କାରେ । ହେଲେ ଫ୍ଲପ୍ ମାରିଛନ୍ତି ଫିଲଡରେ ।

ଆମେ ଏବେ ତିନି ଜଣ ପ୍ରମୁଖ ଖେଳାଳିଙ୍କ ବିଷୟରେ କଥା ହେଉଛୁ । ସେମାନେ ହେଲେ ଋଷଭ ପନ୍ତ, ଭେଙ୍କଟେଶ ଆୟର ଏବଂ ଇଶାନ୍ କିଶାନ୍ । ଋଷଭ ପନ୍ତ ବର୍ତ୍ତମାନ ଲକ୍ଷ୍ନୌ ସୁପର ଜାଏଣ୍ଟସ ଟିମର ଅଧିନାୟକ ଅଛନ୍ତି । ସେ ଚଳିତ ସିଜିନରେ ୧୧ଟି ମ୍ୟାଚ୍ ଖେଳି ମାତ୍ର ୧୨୮ ରନ୍ ସଂଗ୍ରହ କରିଛନ୍ତି । ପନ୍ତଙ୍କ ସର୍ବାଧିକ ସ୍କୋର ହେଲା ୬୩ । ଲକ୍ଷ୍ନୌ ଦଳ ତାଙ୍କୁ ସର୍ବାଧିକ ୨୭ କୋଟି ଟଙ୍କାରେ କିଣିଥିଲା । ହେଲେ ସେ ଫ୍ଲପ୍ ଓ ତାଙ୍କ ଦଳ ବି ଫ୍ଲପ୍ ।

କୋଲକାତା ନାଇଟ୍ ରାଇଡର୍ସରୁ ଖେଳୁଛନ୍ତି ଭେଙ୍କଟେଶ ଆୟର । ତାଙ୍କୁ ଦଳ ୨୩ କୋଟି ୭୫ ଲକ୍ଷ ଟଙ୍କାରେ କିଣିଥିଲା । ହେଲେ ଭେଙ୍କଟେଶ ୧୧ଟି ମ୍ୟାଚ୍ ଖେଳି ମାତ୍ର ୧୪୨ ରନ୍ କରିଛନ୍ତି । ତାଙ୍କର ସର୍ବାଧିକ ସ୍କୋର ହେଉଛି ୬୦ ରନ୍ । ତାଙ୍କର ଖରାପ ଫର୍ମ ଯୋଗୁଁ ଦଳର ପ୍ରଦର୍ଶନରେ ପ୍ରଭାବ ପଡ଼ିଛି ।

ସେହିପରି ଆଉ ଜଣେ ଖେଳାଳି ହେଉଛନ୍ତି ଇଶନ୍ କିଶନ୍ । ଯଦିଓ ସେ ଚଳିତ ସିଜିନରେ ୧୦ଟି ମ୍ୟାଚ୍ ଖେଳି ୧୯୬ ରନ୍ କରିଛନ୍ତି । ତେବେ ଗୋଟିଏ ଶତକକୁ ଛାଡ଼ି ଦେଲେ ତାଙ୍କର ପ୍ରଦର୍ଶନ ବେକାର ବୋଲି କହି ହେବ । ସନରାଇଜର୍ସ ହାଇଦ୍ରାବାଦରୁ ଖେଳୁଥିବା କିଶନ୍ ୧୧ କୋଟି ୨୫ ଲକ୍ଷରେ ବିକ୍ରି ହୋଇଥିଲେ ।