ବିଶ୍ୱକପ ହକିରେ ଆଜିଠୁ ଆରମ୍ଭ ହେବ ଅସଲ ଲଢ଼େଇ, ଯିଏ ଜିତିବ କ୍ୱାର୍ଟର ଫାଇନାଲ ଟିକେଟ ହାତେଇବ
କେନ୍ୟୁଜ୍(ବ୍ୟୁରୋ): ବିଶ୍ୱକପ ହକିରେ ଆଜିଠୁ ଆରମ୍ଭ ହେବ ଅସଲ ଲଢ଼େଇ । କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ କ୍ରସ୍ ଓଭର ମ୍ୟାଚ୍ । ଯିଏ ଜିତିବ କ୍ୱାର୍ଟର ଫାଇନାଲ ଟିକେଟ ହାତେଇବ । ପରାଜିତ ହେବା ଟିମ୍ ରାଉଲକେଲା ଯାଇ ବିଶ୍କପରେ ରାଙ୍କିଂ ପାଇଁ ଖେଳିବ । ପ୍ରଥମ କ୍ରସ ଓଭର ମ୍ୟାଚରେ ମାଲେସିଆ ଓ ସ୍ପେନ ମୁହାଁମୁହିଁ ହେବେ । ଅପରାହ୍ଣ ସାଢେ ୪ଟାରେ ଏହି ମ୍ୟାଚ୍ ଖେଳାଯିବ । ସେହିପରି ସନ୍ଧ୍ୟା ୭ଟାରେ ଆୟୋଜକ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ନିର୍ଣ୍ଣାୟକ । ଜିତିଲେ କ୍ୱାର୍ଟର ଫାଇନାଲ୍ ଯିବେ, ହାରିଲେ ବିଶ୍ୱକପରୁ ବାଦ ପଡ଼ିବେ ।
ପୁଲ୍-ଡିରେ ଭାରତ ୩ଟି ମ୍ୟାଚରୁ ୨ଟି ବିଜୟ ଗୋଟିଏ ଡ୍ର ସହ ୭ ପଏଣ୍ଟ ପାଇ ପଏଣ୍ଟ ଟେବୁଲ୍ର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ପୁଲ୍-ସିରେ ନ୍ୟୁଜିଲାଣ୍ଡ ୩ଟିରୁ ଗୋଟିଏ ବିଜୟ ଓ ୨ଟିରେ ପରାଜୟ ସହ ୩ ପଏଣ୍ଟ ପାଇ ଟେବୁଲ୍ ତାଲିକାର ତୃତୀୟ ସ୍ଥାନରେ ରହିଛି । ତେଣୁ କ୍ୱାର୍ଟର ଫାଇନାଲ୍ ଯିବାକୁ ଏହି କ୍ରସ୍ ଓଭର୍ ମ୍ୟାଚ୍ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ କର ବା ମର ମ୍ୟାଚ୍ ହେବ ।
ଆଜିର ମ୍ୟାଚ୍ ଜିତିଲେ ଆସନ୍ତା ୨୪ ତାରିଖରେ କ୍ୱାର୍ଟର ଫାଇନାଲରେ ୨୦୧୮ର ବିଶ୍ୱ ଚାମ୍ପିଅନ୍ ବେଲଜିୟମ ବିପକ୍ଷରେ ଖେଳିବ । କ୍ୱାର୍ଟର ଫାଇନାଲ ଟିକେଟ ନେବାକୁ ରଣନୀତି କରିଛି ଭାରତ । ନ୍ୟୁଜିଲାଣ୍ଡର ସବୁ ମ୍ୟାଚ୍ର ଭିଡିଓ ଅନାଲିସିସ୍ କରିଛି । ଆହତ ହାର୍ଦ୍ଦିକ ସିଂଙ୍କ ସ୍ଥାନରେ ଖେଳିବେ ରାଜକୁମାର ପାଲ । ପୂର୍ବ ମ୍ୟାଚ୍ ତ୍ରୁଟି ସୁଧାରି ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । .