ଆଜି ବହୁ ପ୍ରତୀକ୍ଷିତ ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ୱକପ୍‌ ମୁକାବିଲା,ମୁହାଁମୁହିଁ ହେବେ ବିରାଟ କୋହଲି-ବାବର ଆଜମ

କେନ୍ୟୁଜ୍(ବ୍ୟୁରୋ):  ଭାରତ-ପାକିସ୍ତାନ ମଧ୍ୟରେ ଆଉ ଏକ ବିଶ୍ୱକପ୍‌। ଆଉ ଏକ ଟି୨୦ ମ୍ୟାଚ୍‌। ହାଇଭୋଲଟେଜ୍‌ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର। ମୁହାଁମୁହିଁ ହେବେ ବିରାଟ କୋହଲି-ବାବର ଆଜମ। ବିଶ୍ୱ ଟି୨୦ ର‍୍ୟାଙ୍କିରେ ଭାରତ ନମ୍ବର ୨, ପାକିସ୍ତାନ ନମ୍ବର ୩ । କିଏ କାହାଠାରୁ କମ୍‌ ନୁହନ୍ତି। କିନ୍ତୁ ଅଧିକାଂଶ ମତ ଭାରତର ପଲ୍ଲାଭାରି। ଇତିହାସ ବି କହୁଛି ବିଶ୍ୱକପରେ ପାକିସ୍ତାନଠାରୁ ହାରି ନାହିଁ ଭାରତ। ଦିନିକିଆ ଓ ଟି-୨୦ ବିଶ୍ୱକପରେ ଭାରତ ୧୨ଥର ପାକିସ୍ତାନକୁ ଧୂଳି ଚଟାଇଛି । ପାକିସ୍ତାନ ଗୋଟିଏ ବି ମ୍ୟାଚ୍‌ ଜିତିପାରିନାହିଁ। ଟି୨୦ ବିଶ୍ୱକପରେ ଉଭୟ ଦଳ ପରସ୍ପର ୫ ଥର ମୁହାଁମୁହିଁ ହୋଇଛନ୍ତି। ୨୦୦୭ରେ ଗ୍ରୁପ୍‌ ଷ୍ଟେଜ୍‌ରେ ପାକିସ୍ତାନକୁ ବୋଲ୍‌ ଆଉଟରେ ହରାଇଥିଲେ ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା ଧୋନୀ ବାହିନୀ। ସେହିପରି ୨୦୧୨ରେ ଭାରତ ପାକିସ୍ତାନକୁ ୮ ୱିକେଟ୍‌ରେ ହରାଇଥିଲା। ୨୦୧୪ରେ ୭ ୱିକେଟରେ ଜିତିଥିଲା ଭାରତ। ୨୦୧୬ରେ ପୁଣି ଥରେ ପାକିସ୍ତାନକୁ ୬ ୱିକେଟ୍‌ରେ ହରାଇଥିଲା ଟିମ୍‌ ଇଣ୍ଡିଆ। କିନ୍ତୁ ସବୁଥର ଭାରତର ଅଧିନାୟକ ଥିଲେ ମହେନ୍ଦ୍ର ସିଂହ ଧୋନି। ଏଥର ନାହାନ୍ତି କ୍ୟାପଟେନ୍‌ କୁଲ୍‌, ଅଧିନାୟକ ଅଛନ୍ତି ବିରାଟ କୋହଲି।

ବିରାଟ ବାହିନୀରୁ ରୋହିତ ଶର୍ମା ଓ କେ.ଏଲ୍‌. ରାହୁଲ ଓପନିଂ କରିବା ପ୍ରାୟ ନିଶ୍ଚିତ। ମଧ୍ୟକ୍ରମ ସମ୍ଭାଳିବେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ଥ ଓ ହାର୍ଦ୍ଦିକ ପାଣ୍ଡ୍ୟା। ଅଲରାଉଣ୍ଡ ଜାଡେଜାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ଆର୍‌ ଅଶ୍ୱିନ, ବରୁଣ ଚକ୍ରବର୍ତ୍ତୀ କିମ୍ବା ରାହୁଲ ଚହରଙ୍କ ମଧ୍ୟରୁ ଜଣକୁ ସ୍ପିନ୍‌ ଆକାଟରେ ରଖିପାରନ୍ତି ବିରାଟ। ପେସ୍‌ ଆଟକେ ପ୍ଲେଇଂ ଇଲେଭନରେ ରହିପାରନ୍ତି ଯଶପ୍ରିତ ବୁମ୍‌ରାହ ଓ ମହମ୍ମଦ ସାମୀ। ଭୁବେଶ୍ୱର କୁମାର କିମ୍ବା ଶାର୍ଦ୍ଦୁଲ ଠାକୁରଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନମିଳିପାରେ।

ସେପଟେ ପାକିସ୍ତାନ ଖେଳାଳି ମଧ୍ୟ କମ୍‌ ନୁହଁନ୍ତି, ବିଶେଷ କରି ଅଧିନାୟକ ବାବର ଆଜମ। ତାଙ୍କର ବ୍ୟାଟିଂ ଉପରେ ନିର୍ଭର କରେ ପାକିସ୍ତାନର ଭାଗ୍ୟ। ମହମ୍ମହ ହଫିଜ ଓ ସେଏବ ମଲ୍ଲିକ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି ଦଳରେ। ହସନ ଅଲ୍ଲୀ ଓ ସୟିନ ଆଫ୍ରିଦି ଭଳି ଘାତକ ବୋଲର ଅଛନ୍ତି ପାକିସ୍ତାନ ଟିମ୍‌ରେ। ମହମ୍ମଦ ରିଜୱାନ ଭଳି ହାର୍ଟହିଟ୍‌ର କୌଣସି ସମୟରେ ମ୍ୟାଚ୍‌ର ମୋଡ ବଦଳାଇ ପାରିବେ।…

ପ୍ରଥମ ଟି୨୦ ବିଶ୍ୱକପ୍‌ ଜିତିଥିଲା ଭାରତ। ୨୦୦୭ର ଚାମ୍ପିଅନ ଟିମ୍‌ ଇଣ୍ଡିଆ। ୨୦୦୯, ୨୦୧୦ ଓ ୨୦୧୨ରେ ସୁପର ୮ ପର୍ଯ୍ୟାୟରୁ ବାଦ୍‌ ପଡିଥିଲା। ୨୦୧୪ରେ ଫାଇନାଲରେ ହାରିଥିଲା। ୨୦୧୬ରେ ସେମିଫାଇନାଲରେ ଅଭିଯାନ ସରି ଯାଇଥିଲା। ଏବେ ୫ ବର୍ଷ ପରେ ପୁଣି ଚାମ୍ପିଅନ ହେବାକୁ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.