୧୭ ବର୍ଷ ପରେ ବିଶ୍ୱକପ୍ ଜିତିବା ଲକ୍ଷ୍ୟରେ ଭାରତ, ଆଜି ଇଣ୍ଡିଆ-ସାଉଥ ଆଫ୍ରିକା ମଧ୍ୟରେ ହେବ ମୁକାବିଲା
ଭାରତୀୟ କ୍ରିକେଟ ଦଳ ଲେଖିବ କି ପୁଣି ଏକ ସଫଳ କାହାଣୀ । ଆଜି ବାରବାଡୋସରେ ଟି-ଟ୍ବେଣ୍ଟି ବିଶ୍ୱକପ୍ ଫାଇନାଲ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମୁକାବିଲା । ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ଅପରାଜେୟ ଦୁଇ ଦଳ । ଗୋଟିଏ ବି ମ୍ୟାଚ ନହାରି ଫାଇନାଲରେ ପ୍ରବେଶ କରିଛନ୍ତି। ହେଲେ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ ଉପରେ ବର୍ଷାର ବିପଦ ରହିଛି । ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାର୍ବାଡୋସରେ ହେବାକୁ ଥିବା ଏହି ମ୍ୟାଚକୁ ବର୍ଷା ଧୋଇଦେବା ଆଶଙ୍କା ରହିଛି । ପୂର୍ବରୁ ମଧ୍ୟ ୱାର୍ଲଡ କପର ବହୁ ମ୍ୟାଚ ବର୍ଷା ବାଧିତ ହୋଇଛି । ତେଣୁ ଆଜିର ମ୍ୟାଚ ବର୍ଷା ଯୋଗୁଁ ବାଧିତ ହେଲେ ରିଜର୍ଭ ଡେକୁ ଘୁଞ୍ଚିଯିବ ମ୍ୟାଚ ।
ଜୁନ ୩୦ ତାରିଖରେ ରିଜର୍ଭ ଡେ ରଖାଯାଇଛି । ଯଦି ମ୍ୟାଚ ୧୦-୧୦ ଓଭର ଖେଳାନ ଯାଏ ତେବେ ରିଜର୍ଭ ଡେକୁ ସିଫ୍ଟ ହୋଇଯିବ । ଆଇସିସିର ନିୟମ ଅନୁସାରେ ଫାଇନାଲ ମ୍ୟାଚ ହୋଇନପାରିଲେ କିମ୍ବା ଟାଇ ସ୍ଥିତି ହେଲେ ସୁପର ଓଭର ଖେଳାଯାଇଥାଏ । ଯଦି ରିଜର୍ଭ ଡେରେ ମଧ୍ୟ ଫଳାଫଳ ବାହାରିନପାରିଲେ ଦୁଇ ଦଳକୁ ଯୁଗ୍ମ ବିଜେତା ଭାବେ ଘୋଷଣା କରାଯିବ ବୋଲି ସୂଚନା ରହିଛି ।
୨୦୧୩ ପରଠାରୁ କୌଣସି ଆଇସିସି ଟ୍ରଫି ଜିତିନି ଭାରତ। ସେପଟେ ଦକ୍ଷିଣ ଆଫ୍ରିକା ଆଜି ପର୍ଯ୍ୟନ୍ତ କୌଣସି ଆଇସିସି ଟ୍ରଫି ଜିତି ପାରି ନାହିଁ । ଭାରତ ୧୧ ବର୍ଷର ଶୋଷ ମେଣ୍ଟାଇବାକୁ ଚାହିଁବ। ସେହିପରି ଦକ୍ଷିଣ ଆଫ୍ରିକା, ଟି-ଟ୍ବେଣ୍ଟି ବିଶ୍ବକପ୍ ଜିତି ନୂଆ ଇତିହାସ ଲେଖିବାକୁ ଚାହିଁବ। ଟି-ଟ୍ବେଣ୍ଟି ବିଶ୍ବକପର ପ୍ରଥମ ସଂସ୍କରଣର ବିଜେତା ଭାରତ ୧୭ ବର୍ଷ ପରେ ପୁଣି ଥରେ ଟାଇଟଲ ଜିଣିବାର ସୁଯୋଗ ପାଇଛି। ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ବିତୀୟ ଥର ଚାମ୍ପିଅନ ହେବା ଲକ୍ଷ୍ୟ ରଖିଛି।