ଆଜି ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ୍ ଫାଇନାଲ୍, ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଆଜି ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ୍ ଫାଇନାଲ୍ । ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ଟାଇଟଲ୍ଠାରୁ ଆଉ ପାଦେ ଦୂରରେ ଭାରତ । ଭାରତୀୟ ସମୟ ସଂଧ୍ୟା ୬ଟା ୩୦ ମିନିଟରୁ ଆରମ୍ଭ ହେବ ମହାଲଢେଇ । ପଞ୍ଚମ ଥର ଚାମ୍ପିଅନ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ୨୦୧୬ରୁ ଲଗାତାର ଚତୁର୍ଥ ଥର ଫାଇନାଲ ଆସିଛି ଭାରତ ।
ଗତ ୧୪ ସଂସ୍କରଣରୁ ୮ ଥର ଫାଇନାଲକୁ ଯାଇଛି ଭାରତୀୟ ଜୁନିୟର କ୍ରିକେଟ ଟିମ । ଆଜି ଇଂଲଣ୍ଡକୁ ପରାସ୍ତ କରି ନିଜର ଆଧିପତ୍ୟ ବିସ୍ତାର ପାଇଁ ଭାରତ ଲକ୍ଷ୍ୟ ରଖିଛି । ୧୯ ବର୍ଷରୁ କମ୍ ବିଶ୍ୱକପ୍ ଟିମ୍ ଅଧିନାୟକ ୟଶ ଧୂଲଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ସେମିରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରି ଦଳକୁ ଦେଇଥିଲେ ଫାଇନାଲ୍ ଟିକେଟ୍ ।
ଏପଟେ ୨୪ ବର୍ଷ ପରେ ପ୍ରଥମ ଥର ଫାଇନାଲ ପ୍ରବେଶ କରିଥିବା ଇଂଲଣ୍ଡ ଟିମ କୌଣସି ମତେ ଏଥର ବିଜେତା ହେବାକୁ ସ୍ୱତନ୍ତ୍ର ଗେମ ପ୍ଲାନ କରିଛି । ୧୯୯୮ରେ ବ୍ରିଟିସ ଟିମ ଶେଷଥର ପାଇଁ ବିଜେତା ହୋଇଥିଲା । ସେମିରେ ଆଫଗାନିସ୍ତାନକୁ ପରାସ୍ତ କରି ଫାଇନାଲରେ ଏଣ୍ଟି୍ର କରିଛି ଟିମ ଇଂଲଣ୍ଡ ।