ଆଜିଠୁ ଆଇପିଏଲ୍ ହାଟ , ୨୦୧୯ ସଂସ୍କରଣ ପାଇଁ ଜୟପୁରରେ ଖେଳାଳି ନିଲାମ

ଜୟପୁର(କେନ୍ୟୁଜ୍) : ୨୦୧୯ ଆଇପିଏଲ୍ ପାଇଁ ଆଜିଠୁ ଆରମ୍ଭ ହେବ ଖେଳାଳି ନିଲାମ । ରାଜସ୍ଥାନ ଜୟପୁରରେ ବସିବ ଆଇପିଏଲ୍ ହାଟ । ଫ୍ରାଞ୍ଚାଇଜି ଟିମ୍ କିଣିବେ ଖେଳାଳି । ଏଥିପାଇଁ ମୋଟ୍ ୧ ହଜାର ୩ ଜଣ କ୍ରିକେଟର ପଞ୍ଜିକୃତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩୪୬ ଜଣ କ୍ରିକେଟରଙ୍କୁ ସର୍ଟ ଲିଷ୍ଟ କରାଯାଇଛି । ଏମାନଙ୍କ ଭିତରେ ଅଛନ୍ତି ୨୨୭ ଜଣ ଭାରତୀୟ ଖେଳାଳି । ସେହିପରି ଦକ୍ଷିଣ ଆଫ୍ରିକାର ୨୬, ଅଷ୍ଟ୍ରେଲିଆର ୨୩, ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡର ୧୮ଜଣ, ନ୍ୟୁଜିଲାଣ୍ଡର ୧୩, ଆଫଗାନିସ୍ତାନର ୮, ଶ୍ରୀଲଙ୍କାର ୭ ଜଣ ଖେଳାଳି ନିଲାମରେ ସାମିଲ ହେବେ । ପ୍ରତି ଖେଳାଳିଙ୍କର ଥିବା ବେସ୍ ପ୍ରାଇସ୍ରୁ ଆରମ୍ଭ ହେବ ନିଲାମ ।
ଏହି ପ୍ରକ୍ରିୟାରେ ସାମିଲ ଥିବା କୌଣସି ଖେଳାଳିଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କାରୁ ଅଧିକ ନାହିଁ । ୯ ଜଣ ବିଦେଶୀ କ୍ରିକେଟରଙ୍କ ବେସ୍ ପ୍ରାଇସ୍ ରହିଛି ୨ କୋଟି ଟଙ୍କା । ଜୟଦେବ ଉନାଦକଟଙ୍କ ବେସ୍ ପ୍ରାଇସ୍ ସର୍ବାଧିକ ଦେଢ଼ କୋଟି ଟଙ୍କା ରହିଛି । ପାଖାପାଖି ୭୦ ଜଣ ଖେଳାଳିଙ୍କୁ କିଣିବେ ଫ୍ରାଞ୍ଚାଇଜି । ସବୁଠୁ ଅଧିକ କିଙ୍ଗସ୍ ଇଲେଭେନ୍ ପଞ୍ଜାବରେ ୧୫ ଜଣ ଖେଳାଳିଙ୍କ ସ୍ଥାନ ଖାଲି ରହିଛି । ଚେନ୍ନାଇ ସୁପରକିଙ୍ଗସ୍ ସବୁଠୁ କମ୍ ୨ ଜଣ ଖେଳାଳିଙ୍କୁ କିଣିବ । ଦେଖିବା କଥା କେଉଁ ଖେଳାଳି କେତେ ଅଧିକ ଟଙ୍କାର କେଉଁ ଟିମ୍ କିଣୁଛି ।