ଆଜିଠୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ଅଭିଯାନ ଆରମ୍ଭ, ଫ୍ଲୋରିଡ଼ାରେ ଖେଳାଯିବ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌

ଫ୍ଲୋରିଡ଼ା: ବିଶ୍ୱକପ ପରେ ଟିମ୍‌ ଇଣ୍ଡିଆର ପ୍ରଥମ ସିରିଜ । ଆଜିଠୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ତିନି ଟିକିଆ ଟି-20 ସିରିଜର ଆଜି ପ୍ରଥମ ମ୍ୟାଚ୍‌ ଫ୍ଲୋରିଡ଼ାରେ ଖେଳାଯିବ । ଭାରତୀୟ ସମୟ ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍‌ । ଅଭିଜ୍ଞ ଓ ଯୁବ ଚେହେରାଙ୍କୁ ନେଇ କାରାବେଆନ୍‌ ମାଟିରେ ଦମ୍‌ ଦେଖାଇବା ଲକ୍ଷ୍ୟରେ ରହିଛି ମେନ୍‌ ଇନ୍‌ ବ୍ଲୁ । ଚୂଡ଼ାନ୍ତ ଦଳରେ ଅଛନ୍ତି ନଭଦୀପ ସାଇନି, ରାହୁଲ ଚହର, ଶ୍ରେୟସ ଆୟାର, ଓ୍ଵାଶିଂଟନ୍‌ ସୁନ୍ଦର ଓ କ୍ରୁନାଲ୍‌ ପାଣ୍ଡ୍ୟାଙ୍କ ଭଳି କ୍ରିକେଟର । ସେହିପରି ଆହତ କାରଣରୁ ବିଶ୍ୱକପ୍‌ ଅଧାରୁ ବାଦ ପଡ଼ିଥିବା ଧୁରନ୍ଧର ଓପନର ଶିଖର ଧଓ୍ଵନ ପ୍ଲେଇଂ ଇଲେଭେନକୁ ଫେରିଥିବାରୁ ଟପ୍‌ ଅର୍ଡର ଶକ୍ତିଶାଳୀ ହୋଇଛି । ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି, ମନୀଷ ପାଣ୍ଡେ ଓ ରୁଷଭ ପନ୍ଥଙ୍କ କାନ୍ଧରେ ରହିବ ବ୍ୟାଟିଂ ଲାଇନ୍‌ ଅପ୍‌ । ସେହିପରି ବୋଲିଂ ଭାର ସମ୍ଭାଳିବେ ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ଦୀପକ ଚହର, ରାହୁଲ ଚହର । ସେପଟେ ୱେଷ୍ଟଇଣ୍ଡିଜ ବି ଭାରତକୁ ଚେକମେଟ୍‌ ଦେବାକୁ ତୟାର ରହିଛି । ଚଳିତ ବିଶ୍ୱକପରେ ଲିଗ୍‌ ପର୍ଯ୍ୟାୟରୁ ବିଦା ହୋଇଥିଲେ ବି ଜବରଦସ୍ତ ଖେଳ ଦେଖାଇଥିଲା କାରାବେଆନ୍‌ ଟିମ୍‌ । କାର୍ଲୋସ ବ୍ରାଥେଓ୍ଵଟ୍‌, କେରନ୍‌ ପୋଲାର୍ଡ, ସୁନୀଲ ନାରିନ୍‌, ଏଭେନ୍‌ ଲୁଇସ୍‌, ସିମରନ୍‌ ହେଟମାୟାର୍‌ କିଛି ବି କମାଲ କରି ପାରନ୍ତି । ତିନିଟି ଟି-ଟେ୍ଵଣ୍ଟି ସହ ଭାରତ ୱେଷ୍ଟଇଣ୍ଡିଜ ଗସ୍ତରେ ୩ଟି ଦିନିକିଆ ଓ ୨ଟି ଟେଷ୍ଟ ଖେଳିବ ।