ଆଉ ଦୁଇ ଦିନ ପରେ ଟୋକିଓ ଅଲମ୍ପିକ୍ସ । ତେବେ କ୍ରୀଡା ସହ ଜଡିତ ବ୍ୟକ୍ତି ଓ କ୍ରୀଡାବିତଙ୍କୁ ମିଶାଇ ୭୨ ଜଣ କରୋନା ସଂକ୍ରମିତ ହେବା ଓ ବିଦେଶୀଙ୍କ ଆଗମନକୁ ଜାପାନବାସୀଙ୍କ ବିରୋଧ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଅଲମ୍ପିକ୍ସ ଆୟୋଜନ କରିବା ଯୁଦ୍ଧ ଠାରୁ କଷ୍ଟକର । ବିନା ଦର୍ଶକରେ ଉଦଘାଟନୀ ଉତ୍ସବ ଓ ଇଭେଣ୍ଟ ଆୟୋଜିତ ହେବ । ଏହା ସତ୍ତ୍ୱେ ପରିସ୍ଥିତିରେ ସୁଧାର ନ ଆସିଲେ ଶେଷ ମୁହୂତ୍ତ୍ୱରେ ଅଲମ୍ପିକ୍ସକୁ ବାତିଲ କରି ଦିଆଯାଇପାରେ ବୋଲି ଟୋକିଓ ଅଲମ୍ପିକ୍ସ ଆୟୋଜନ କମିଟି ମୁଖ୍ୟ ତୋସିରା ମୁଟୋ ସୂଚନା ଦେଇଛନ୍ତି ।
ତେବେ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ କରୋନା ସମ୍ପର୍କରେ ସବିଶେଷ ତଥ୍ୟ ନେବାକୁ ହେବ । ଏହା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସକ ଓ ରାଜାନେତା କହିଛନ୍ତି । ଏପଟେ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗ କହିଛନ୍ତି ଜାପାନ ସୁରକ୍ଷିତ ଅଲମ୍ପିକ୍ସ ଆୟୋଜନ କରିବାରେ ସକ୍ଷମ । ଅଲମ୍ପିକ୍ସ ଲାଗି ଦିନକୁ ଦିନ ହଜାର ହଜାର ଆଥଲେଟ ଓ କର୍ମକର୍ତ୍ତା ଜାପାନ ପହଞ୍ଚିଛନ୍ତି । ଅଲମ୍ପିକ୍ସକୁ ବାତିଲ କରିବା ସହ ଏତେ ସଂଖ୍ୟକ ବିଦେଶୀଙ୍କୁ ଜାପାନ ନ ପୂରାଇବାକୁ ସ୍ଥାନୀୟ ଲୋକ ଦାବି କରୁଛନ୍ତି । ସଂକ୍ରମଣ ବୃଦ୍ଧି ନ ହେବା ଲାଗି ଜାପାନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି । ଜାପାନ ସମ୍ରାଟ ନାରୁହିତୋ ଉଦଘାଟନୀ ଉତ୍ସବରେ ଯୋଗ ଦେବେ ।