ଉଦଯାପିତ ହେଲା ଟୁର୍ ଦି କଳିଙ୍ଗ ର ଦୁଃସାହସିକ ସାଇକେଲ ଯାତ୍ରା: ୧୩ ଦିନରେ ୧୪୫୦ କିଲୋମିଟର ଅତିକ୍ରମ କଲେ ସାଇକେଲ ଆରୋହୀ

କେନ୍ୟୁଜ୍(ବ୍ୟୁରୋ): ଡିସେମ୍ବର ୧୧ ତାରିଖରୁ ଭୁବନେଶ୍ୱରରୁ ଆରମ୍ଭ ହୋଇ କୋରାପୁଟରେ ପହଞ୍ଚି ୧୩ଦିନରେ ୧୪୫୦ କିଲୋମିଟର ଦୀର୍ଘତମ ଗୋଷ୍ଠୀ ସାଇକଲ୍ ଚାଳନା କାର୍ଯ୍ୟକ୍ରମ ଟୁର୍‌-ଡି-କଳିଙ୍ଗର ଚତୁର୍ଥ ସଂସ୍କରଣ ଆଜି ଭୁବନେଶ୍ୱର ଠାରେ ଉଦଯାପିତ ହୋଇଛି। ରୁଟ୍‌ସ ଅଫ୍ ଓଡ଼ିଶା ଫାଉଣ୍ଡେସନ ପ୍ରଯୋଜିତ ସିୱାଇଏସଡ଼ି ସମ୍ମିଳନୀ କକ୍ଷରେ ଏହି ଉଦଯାପନ ଉତ୍ସବରେ ପ୍ରେରଣାର ସଭାପତି ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ବିଶିଷ୍ଟ ପର୍ଯ୍ୟଟନ ପ୍ରୋତ୍ସାହକ ହିମାଂଶୁ ଦାସ ଓ କ୍ରୀଡାବିତ୍ ବଦ୍ରି ମିଶ୍ର, ଓ୍ବେଲକମ୍ ଓଡିଶାର ପ୍ରତିଷ୍ଠାତା ବିପିନ ମହାନ୍ତି ମିଳିତ ଭାବେ ଏହାକୁ ଉଦଯାପନ କରିବା ସହ ଆଗାମୀ ଦିନରେ ଟୁର-ଡି ଫ୍ରାନ୍ସକୁ ଅତିକ୍ରମ କରିବ ।

 

ଏହି ଟୁର-ଡି-କଳିଙ୍ଗ ଓଡ଼ିଶାରେ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ସୃଷ୍ଟି କରିବା ଲାଗି ଏକ ସୁବର୍ଣ୍ଣ ସୁଯୋଗ ଆଣିବ ବୋଲି ଆଶାବ୍ୟକ୍ତ କରିଥିଲେ। ଏଥିରେ ଅଧ୍ୟକ୍ଷତା କରି ଫାଉଣ୍ଡେସନ ର ଅଧ୍ୟକ୍ଷ ସୁଧୀର କୁମାର ଦାଶ ପର୍ଯ୍ୟାବରଣ, ପରିବେଶ ସୁରକ୍ଷା, ବିଶ୍ୱ ତାପନ, ସ୍ବଛତା ଏବଂ ଡ୍ରଗ୍‌ସ ଅପବ୍ୟବହାର ଉପରେ ମେଗା ଅଭିଯାନ ପାଇଁ ସାରା ଦେଶରୁ ଅଂଶଗ୍ରହଣକାରୀମାନେ ଭୁବନେଶ୍ୱରରେ ଟୁର-ଡ-କଳିଙ୍ଗରେ ଯୋଗ ଦେଇ ଏସିଆର ଦୀର୍ଘତମ ଗୋଷ୍ଠୀ ପେଡାଲିଂ ଅଭିଯାନ ସଫଳ କରିଛନ୍ତି ଯାହା ଟୁର-ଡି-କଳିଙ୍ଗ ଚତୁର୍ଥ ସଂସ୍କରଣରେ ସ୍ମରଣ ରହିବ ବୋଲି ମତବ୍ୟକ୍ତ କରିଥିଲେ।

ରୁଟ୍‌ସ ଅଫ୍ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ହାଇ ଫାଇଭ୍ ସୋସିଆଲ ଇନୋଭେସନ ଓ ମିଶନ ଓଡ଼ିଶା ସହଯୋଗରେ ଆୟୋଜିତ ଟୁର୍‌-ଡି-କଳିଙ୍ଗର ଚତୁର୍ଥ ସଂସ୍କରଣରେ ଅନ୍ତର୍ଜାତୀୟ ସାଇକେଲ ଚାଳକ ଯୋଗିନ୍ଦର ସିଂହ, ୬୯ବର୍ଷିୟ ସୁନିଲ କୁମାର ଓ ଭରତ ଚାନ୍ଦ ଠାକୁର ନିଜ ଅନୁଭବ ଉପରେ ଉଦବୋଧନ ଦେଇଥିଲେ। ସେ କହିଥିଲେ ଯଦି ସରକାର ସମଗ୍ର ଓଡ଼ିଶାକୁ ରେଳପଥ ସଂଯୋଗ କରି ଗମନାଗମନର ବିକାଶ କରିବେ ତେବେ ଓଡିଶା କେବଳ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ବା ବେଳାଭୂମି ନୁହେଁ ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସୌନ୍ଦର୍ଯ୍ୟ, ଜଳପ୍ରପାତ ଓ ସବୁଜ ବନାନୀ, ଭିନ୍ନ ଏକ ସୁଇଜରଲ୍ୟାଣ୍ଡ ଓ ସ୍କଟଲାଣ୍ଡର ଭ୍ରମ ସୃଷ୍ଟି କରିବ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱର ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ପାଇଁ ବହୁ ଭିତିଭୂମି ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟରେ କ୍ରୀଡ଼ା ଭିତିଭୂମି ଗଠନରେ ଚମତ୍କାର ରୂପାନ୍ତରଣ କରିଥିବା ବେଳେ, ସେ ଓଡ଼ିଶାକୁ କେବଳ ଭାରତ ନୁହେଁ ବରଂ ଦୁନିଆର ମାନଚିତ୍ରରେ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ ଭାବେ ସ୍ଥାନିତ କରିବେ ବୋଲି ଦୁଃସାହସିକ ଯାତ୍ରାର ସାଇକେଲ ଚାଳକମାନେ ଆଶାବ୍ୟକ୍ତ କରିଥିଲେ। ଦାନ ଉତ୍ସବର ଓଡ଼ିଶା ପ୍ରମୁଖ ବିପିନ୍ ମହାନ୍ତି ଓ ମିଶନ ଓଡ଼ିଶାର ସଂପାଦକ ତଥା ବିଶିଷ୍ଟ ସାଇକେଲ ଚାଳକ ମଧୁସୂଦନ ମିଶ୍ରଙ୍କ ପରିଚାଳନା ଓ ସଂଯୋଜନାରେ ଏହି ଉଦଯାପନ ଉତ୍ସବରେ ସାଇକେଲ ଚାଳକମାନଙ୍କୁ ମାନପତ୍ର,ଟ୍ରଫି ଓ ମେଡାଲ୍ ପ୍ରଦାନ କରାଯାଇଥିଲା।

ଶେଷରେ ଓଡ଼ିଶାର ବିଶିଷ୍ଟ ଯୁବ କଣ୍ଠଶିଳ୍ପୀ ରାମକ୍ରିଷ୍ଣା ଓ ସୁଧାର ଦାଶଙ୍କ ସଂଗୀତ ମଧ୍ୟରେ ଏହି ଉତ୍ସବ ଉଦଯାପିତ ହୋଇଥିଲା। ଆଗାମୀଦିନରେ ପ୍ରତି ମାସରେ ଯୁବଗୋଷ୍ଠୀଙ୍କୁ ପୁରୀ -କୋଣାର୍କ ସାଇକେଲ ଯାତ୍ରାର ଆୟୋଜନ କରାଯାଇ,କୃତୀ ସାଇକେଲ ଚାଳକଙ୍କୁ ଟୁର ଦି କଳିଙ୍ଗ ପକ୍ଷରୁ ପୁରସ୍କୃତ କରାଯିବାର ଯୋଜନା ରହିଛି ବୋଲି ଅଧ୍ୟକ୍ଷ ସୁଧୀର ଦାଶ ଓ ମଧୁସୂଦନ ମିଶ୍ର ଏକ ମିଳିତ ବିବୃତି ରେ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.