କଟକ (କେ ନ୍ୟୁଜ୍) : ଦେବାଶିଷ ସାମନ୍ତରାୟଙ୍କ ଅପରାଜିତ ୯୬ ରନ୍ ଏବଂବିପ୍ଳବ ସାମନ୍ତରାୟଙ୍କ ଅର୍ଦ୍ଧଶତକ ସହାୟତାରେ ସର୍ଭିସେସ୍ ବିପକ୍ଷରେ ଓଡ଼ିଶା ପ୍ରଥମ ଇନିଂସରେ ଆଗୁଆ ରହିଛି । ତେବେ ନିଜ ଘରୋଇ ଗ୍ରାଉଣ୍ଡରେ ମଧ୍ୟ ପ୍ରତିଟି ରନ୍ ପାଇଁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଛି ଓଡ଼ିଶା ଖେଳାଳିଙ୍କୁ । ଆଜି ମ୍ୟାଚ୍ର ଦ୍ୱିତୀୟ ଦିବସ ଖେଳ ଶେଷସୁଦ୍ଧା ଓଡ଼ିଶା ଦଳ ୬ ଓ୍ଵିକେଟ୍ରେ ୨୮୦ ରନ୍ କରିଛି ।
ଏଠାକାର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍-ସି ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ର ଆଜି ଥିଲା ଦ୍ୱିତୀୟ ଦିନ । ଶାନ୍ତନୁ ମିଶ୍ର ଆଜି ୩୬ ରନ୍ କରି ଆଉଟ୍ ହେବା ପରେ ଅଧିନାୟକ ଶୁଭ୍ରାଂଶୁ ସେନାପତି ପ୍ରଥମ ବଲ୍ରେ ଅଉଟ୍ ହୋଇଯାଇଥିଲେ । ଏହା ପରେ ଦୁଇ ସାମନ୍ତରାୟ ପାଳି ସମ୍ଭାଳି ଚତୁର୍ଥ ଓ୍ଵିକେଟ୍ରେ ୧୨୩ ରନ୍ ଯୋଡ଼ିଥିଲେ । ଭେଟେରାନ୍ ବିପ୍ଳବ ୧୩୨ ବଲ୍ରୁ ୭୩ ରନ୍ କରିଥିଲେ । ସୁଜିତ ଲେଙ୍କା ୨୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଦେବାଶିଷ ୨୩୪ଟି ବଲ୍ ଖେଳି ୧୩ଟି ଚୌକା ସହାୟତାରେ ୯୬ ରନ୍ କରି ଅପରାଜିତ ଅଛନ୍ତି ।
ଗତକାଲି ସର୍ଭିସେସ୍ ୨୭୧ ରନ୍ କରି ଅଲ୍ଆଉଟ୍ ହେବା ପରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ବିନା ଓ୍ଵିକେଟ୍ରେ ୪୩ ରନ୍ କରିଥିଲା ।