ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ଦେଶ ପାଇଁ ପ୍ରଥମ ରୌପ୍ୟ ପଦକ ହାସଲ କରିଛନ୍ତି । ଏନେଇ ଦେଶ ଗର୍ବିତ ଅଛି । କିନ୍ତୁ ନୀରଜଙ୍କୁ ହରାଇଲା କିଏ ? ଏକଥା ଖୁବ୍ କମ୍ ଲୋକ ଜାଣିଥିବେ । ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ୍ ଫାଇନାଲ ଇଭେଣ୍ଟରେ ସ୍ୱର୍ଣ୍ଣପଦକୁ ହାସଲ କରିଥିବା ଖେଳାଳୀଙ୍କ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ନୀରଜଙ୍କୁ ହରାଇଥିବା ଆଥଲେଟ୍ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ପାକିସ୍ତାନର ଖେଳାଳୀ । ଆଉ ପାକିସ୍ତାନର ଏହି ଖେଳାଳୀ ଯେଉଁ ସଂଘର୍ଷ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ତାହା ସତରେ ପ୍ରଶଂସା ଯୋଗ୍ୟ । ନୀରଜ ରୌପ୍ୟ ପଦକ ହାସଲ କରିଛନ୍ତି ସତ କିନ୍ତୁ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଏ ଖେଳାଳୀଙ୍କ ଚର୍ଚ୍ଚା ଏବେ ସାରା ବିଶ୍ୱରେ ହେଉଛି । ତେବେ ଆସନ୍ତୁ ପାକିସ୍ତାନର ଏହି ଖେଳାଳୀଙ୍କ ବିଷୟରେ ଭଲ ଭାବେ ଜାଣିବା ।
ଅଲିମ୍ପିକ୍ସ ଜାଭେଲିନ ଫାଇନାଲ ଇଭେଣ୍ଟରେ ଭାରତ-ପାକିସ୍ତାନ ମଧ୍ୟରେ ଲଢ଼େଇ ହୋଇଥିଲା । ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅର୍ଶଦ ନଦୀମ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ନଦୀମ ଜାଭେଲିନ୍ ଥ୍ରୋରେ ଅଲିମ୍ପିକ୍ ରେକର୍ଡ ଭାଙ୍ଗି ୯୨.୯୭ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ପଦକ ହାସଲ କରିବା ପାଇଁ ସେ ଯେଉଁ ସଂଘର୍ଷ କରିଛନ୍ତି ତାହା ସତରେ ସମସ୍ତଙ୍କ ହୃଦୟକୁ ଛୁଇଁଛି । ଅଲିମ୍ପିକ୍ସରେ ପହଞ୍ଚିବା ପାଇଁ ଅର୍ଶଦ ନିଜ ଗାଁ ଲୋକଙ୍କ ଠାରୁ ଚାନ୍ଦା ସଂଗ୍ରହ କରିଥିଲେ । ଏ କଥା ବିଶ୍ୱାସ ହେଉନଥିଲେ ବି ସମ୍ପୂର୍ଣ୍ଣ ସତ । ଅର୍ଶଦ ସ୍ୱର୍ଣ୍ଣ ପଦକ ଜିତିବା ପରେ ସମଗ୍ର ପାକିସ୍ତାନରେ ଖୁସିର ଲହରୀ ଖେଳି ଯାଇଛି । ଅର୍ଶଦଙ୍କ ପାଖରେ ନା ଜାଭେଲିନ୍ କିଣିବା ପାଇଁ ଟଙ୍କା ଥିଲା ନା ଭଲ ତାଲିମ ନେବା ପାଇଁ ପାଖରେ ଟଙ୍କା ଥିଲା । କିନ୍ତୁ ଆଜି ସମସ୍ତଙ୍କୁ ପଛରେ ପକାଇ ସେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅବସ୍ଥିତ ଖାନେୱାଲ ଅଞ୍ଚଳରେ ତାଙ୍କ ଘର । ୩୨ ବର୍ଷିୟ ନଦୀମ ପିଲାଦିନରୁ ଜାଭେଲିନ୍ ଫିଙ୍ଗିବାକୁ ଭଲ ପାଉଥିଲେ, କିନ୍ତୁ ତାଙ୍କର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ସେ ଖେଳି ପାରୁନଥିଲେ । ନଦୀମଙ୍କ ବାପା ଜଣେ ଶ୍ରମିକ ଭାବେ ପରିବାର ଚଳାନ୍ତି । ଆର୍ଥିକ ଅଭାବ ଭିତରେ ମଧ୍ୟ ନଦୀମ ଖେଳରୁ ନିବୃତ ହୋଇନଥିଲେ । କେମିତି ଭଲ ଭାବେ ଖେଳି ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିବେ ସେହି କଥା ଦିନ ରାତି ଭାବୁଥିଲେ । ସ୍ୱର୍ଣ୍ଣ ଦପକ ହାସଲ କରିବାର ଇଚ୍ଛା ତାଙ୍କୁ ରାତିରେ ଶୁଆଇ ଦେଉନଥିଲା । ପାଖରେ ଟଙ୍କା ନଥିଲା କିନ୍ତୁ ଗାଁ ଲୋକେ ନଦୀମଙ୍କ ପାଇଁ ସହାୟତାର ହାତ ବଢ଼ାଇଥିଲେ ।
ଗାଁ ଲୋକ ଏବଂ ସମ୍ପର୍କୀୟମାନଙ୍କ ପାଇଁ ସେ ଆଜି ଅଲିମ୍ପିକ୍ସରେ ପହଞ୍ଚି ‘ସ୍ୱର୍ଣ୍ଣ ପଦକ’ ଜିତିଛନ୍ତି । ତାଙ୍କ ସଂଘର୍ଷରେ ତାଙ୍କ ସାହି ପଡ଼ିଶା, ବନ୍ଧୁ ଏବଂ ସମ୍ପର୍କୀୟମାନେ ବହୁତ ସାହାଯ୍ୟ କରିଛନ୍ତି । ସେହି ସଂଘର୍ଷର ଫଳାଫଳ ହେଉଛି ଏହି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ।
ପାକିସ୍ତାନର ଅର୍ଶଦ ନଦୀମଙ୍କ ବାପା ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ୭ ଭାଇ ଭଉଣୀ ମଧ୍ୟରେ ନଦୀମ ତୃତୀୟ ସ୍ଥାନରେ ଅଛନ୍ତି । ଘରେ ଦି ମୁଠା ଖାଇବା ପାଇଁ ବି ନଥାଏ । କିନ୍ତୁ ନଦୀମଙ୍କ ଜାଭେଲିନ୍ ପ୍ରତି ଆଗ୍ରହ ଦେଖି ତାଙ୍କ ପରିବାର ସଦସ୍ୟ ତାଙ୍କୁ ଖେଳିବାକୁ କହିଥିଲେ। ନଦୀମଙ୍କ ପ୍ରଶିକ୍ଷଣ ଜାରି ରଖିବା ପାଇଁ ତାଙ୍କ ପରିବାର ସମସ୍ତ ସଦସ୍ୟ ସବୁ ପ୍ରକାରର ସାହାଯ୍ୟ କରିଥିଲେ । ଗାଁ ଲୋକମାନେ ଚାନ୍ଦା ଆଦାୟ କରି ତାଙ୍କୁ ତାଲିମ ପାଇଁ ପଠାଇଥିଲେ । ପରେ ସେ ସ୍ପୋର୍ଟ କୋଟା ଦ୍ୱାରା ଏକ ସରକାରୀ ଚାକିରି ପାଇଥିଲେ। ଅଲିମ୍ପିକ୍ସ ପୂର୍ବରୁ ନୂଆ ଜାଭେଲିନ୍ କିଣିବା ପାଇଁ ନଦିମଙ୍କ ପାଖରେ ଟଙ୍କା ନଥିଲା । ୮ ବର୍ଷ ଧରି ଗୋଟିଏ ଜାଭେଲିନ୍ ରେ ସେ ଅଭ୍ୟାସ କରୁଥିଲେ ।
ସୂଚନା ଥାଉ କି ଅଲିମ୍ପିକ୍ସ ୨୦୨୪ରେ ପାକିସ୍ତାନ ୭ ଜଣ ଆଥଲେଟଙ୍କୁ ପ୍ୟାରିସ ପଠାଇଥିଲା । ସେଥିମଧ୍ୟରୁ ୬ ଜଣ ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ। କିନ୍ତୁ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଅର୍ଶଦ ନଦୀମ ଇତିହାସ ସୃଷ୍ଟି କରିଛନ୍ତି । ସତରେ ତାଙ୍କ ସଂଘର୍ଷମୟ କାହାଣୀ ସମସ୍ତଙ୍କୁ ପ୍ରେରଣା ଦେଉଛି ।