ଅଯୋଗ୍ୟ ଘୋଷଣା ଖବର ଶୁଣିବା ପରେ ଭିନେଶ ଅସୁସ୍ଥ, ହସପିଟାଲରେ ଭର୍ତ୍ତି

ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ଖବର ଶୁଣିବା ପରେ ଚେତାଶୂନ୍ୟ ହେଲେ ଭିନେଶ ଫୋଗାଟ । ତାଙ୍କୁ ପ୍ୟାରିସର ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରରେ ଜଳୀୟ ଅଂଶ କମ୍ ହୋଇଥିବା ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି ।
ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲରେ ଲଢିଥାନ୍ତେ ଭିନେଶ । କିନ୍ତୁ ୫୦ କେଜିରୁ ମାତ୍ର ୧୦୦ ଗ୍ରାମ ଅଧିକ ହୋଇଥିବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ତେବେ ଅଲିମ୍ପିକ୍ସର ଏଭଳି ନିଷ୍ପତ୍ତିକୁ ନେଇ ବିରୋଧ କରିଛି ଭାରତ । ସେମି ଫାଇନାଲରେ କ୍ୟୁବା ପ୍ରତିଦ୍ବନ୍ଦ୍ବୀଙ୍କୁ ୫-୦ରେ ହରାଇ ଫାଇନାଲକୁ ଯାଇଥିଲେ ଭିନେଶ । ଭାରତୀୟ ଅଲିମ୍ପିକ୍ସ ସଂଘ ଜାରି କରିଥିବା ବୟାନରେ କୁହାଯାଇଛି, ଏହା ବହୁତ ନୈରାଶଜନକ ଖବର । ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟ ୫୦ କେଜି ଫ୍ରିଷ୍ଟାଇଲ କ୍ୟାଟେଗୋରୀରେ ଆଜି ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲ ଖେଳିଥାନ୍ତେ । କିନ୍ତୁ ଓଜନ ଅଧିକ ହେବା କାରଣରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି ।
ରାତି ସାରା ଭିନେଶଙ୍କ ଟିମ୍ ଓଜନ କମ୍ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଆଜି ସକାଳୁ ତାଙ୍କୁ ଓଜନ ୫୦ କେଜିରୁ ମାତ୍ର ୧୦୦ ଗ୍ରାମ ଅଧିକ ରହିଥିଲା । ତେବେ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ପରେ କୌଣସି ବି ମେଡାଲ ପାଇବେ ନାହିଁ ଭିନେଶ । ଫାଇନାଲରେ ହାରିଥିଲେ ବି ତାଙ୍କୁ ରୌପ୍ୟ ପଦକ ମିଳିଥାନ୍ତା, କିନ୍ତୁ ଏବେ କୌଣସି ପଦକ ମିଳିବ ନାହିଁ ବୋଲି ସୂଚନା ମିଳିଛି ।