କଂଗ୍ରେସରେ ମିଶିଲେ ଦୁଇ ଅଲିମ୍ପିଆନ୍ ରେସଲର । ଅଲିମ୍ପିଆନ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖରଗେଙ୍କୁ ତାଙ୍କ ବାସଭବନରେ ଭେଟି ଉଭୟ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ସମୟରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଲ, ଦଳର ନେତା ପୱନ ଖେଡା, ହରିୟାଣା କଂଗ୍ରେସ ମୁଖ୍ୟ ଉଦୟ ଭାନ ଏବଂ ହରିୟାଣା ପ୍ରଭାରୀ ଦୀପକ ବାବରିଆ ମଧ୍ୟ ଉପସ୍ଥିତ ଥିଲେ ।
ଗତ କିଛିଦିନ ହେଲା ଏହି ଦୁଇ ଅଲିମ୍ପିଆନ କଂଗ୍ରେସରେ ଯୋଗଦେବା ସମ୍ପର୍କରେ ଆଲୋଚନା ହେଉଥିଲା । ଗତକାଲି ବ୍ୟକ୍ତିଗତ କାରଣ ଦର୍ଶାଇ ଭିନେଶ ରେଳବାଇ ଚାକିରି ଛାଡିଥିଲେ । ଅକ୍ଟୋବର ୫ରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏହି ଦୁଇ ଖେଳାଳିଙ୍କୁ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି ।
ନିକଟରେ ହୋଇଥିବା ପ୍ୟାରିସ୍ ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ କୁସ୍ତି ବର୍ଗରେ ଫାଇନାଲରେ ପହଞ୍ଚିଥିଲେ ଭିନେଶ । ତେବେ ଫାଇନାଲ ପୂର୍ବରୁ ତାଙ୍କୁ ଓଜନ ଅଧିକ ଥିବା କାରଣରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ପ୍ୟାରିସରୁ ଫେରିବା ପରେ ଭିନେଶଙ୍କୁ ଅଲିମ୍ପିକ୍ସ ପଦକ ବିଜେତାର ସମ୍ମାନ ଦିଆଯାଇଥିଲା । ଏହିପରି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆ ମଧ୍ୟ କଂଗ୍ରେସରେ ମିଶିଛନ୍ତି ।
କହି ରଖୁଛୁ, ନିକଟରେ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ । ଏହି ସାକ୍ଷାତ ପରେ ଅନୁମାନ କରାଯାଉଥିଲା କି, ଉଭୟ କଂଗ୍ରେସ ଟିକେଟରେ ହରିୟାଣା ବିଧାନସଭା ନିର୍ବାଚନରେ ପ୍ରବେଶ କରିପାରନ୍ତି ।
ଏମିତି ବି କୁହାଯାଉଥିଲା ଯେ ଭିନେଶ ଫୋଗାଟଙ୍କୁ ଦାଦରିରୁ ଟିକେଟ ଦିଆଯାଇପାରେ । ଏହିପରି ବଜରଙ୍ଗ ପୁନିଆ ବାଦଲିରୁ ଟିକେଟ ଚାହୁଁଛନ୍ତି, କିନ୍ତୁ କଂଗ୍ରେସ ତାଙ୍କୁ କୌଣସି ଜାଟ୍ ବହୁଳ ଆସନରୁ ମୈଦାନକୁ ଆଣିବାକୁ ଯୋଜନା କରୁଛି ।
ହରିୟାଣା ବିଧାନସଭା ନିର୍ବାଚନ ଅକ୍ଟୋବର ୫ରେ ଅନୁଷ୍ଠିତ ହେବ । ଅକ୍ଟୋବର ୮ରେ ଭୋଟ୍ ଗଣନା କରାଯିବ ।