ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ । ଫାଇନାଲକୁ ଗଲେ ଭାରତୀୟ ରେସଲର ଫୋଗାଟ। ପ୍ୟାରିସ ଅଲିମ୍ପିକ୍ସରେ ରୁପା ପଦକ ପକ୍କା କରିଛନ୍ତି ଭିନେଶ ଫୋଗାଟ। ୫୦ କିଲୋଗ୍ରାମ ଫ୍ରି’ ଷ୍ଟାଇଲ କୁସ୍ତିରେ ଫାଇନାଲକୁ ଯାଇଛନ୍ତି ।
ସେମି ଫାଇନାଲରେ କ୍ୟୁବା ପ୍ରତିଦ୍ବନ୍ଦ୍ବୀଙ୍କୁ ୫-୦ରେ ହରାଇ ଫାଇନାଲକୁ ଗଲେ ଭିନେଶ । ଅଲିମ୍ପିକ୍ସ କୁସ୍ତିରେ ଫାଇନାଲ ଯିବାରେ ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ଭିନେଶ । ଆଜି ସ୍ବର୍ଣ୍ଣ ପାଇଁ ଲଢ଼ିବେ ଭିନେଶ ଫୋଗାଟ । ଫୋଗାଟ୍ ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ୨୦୧୯ରେ ଲରିୟସ୍ ବିଶ୍ୱ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ।
ସେପଟେ ଭିନେଶଙ୍କ ଘରେ ଓ ଗାଁରେ ଖୁସିର ମାହୋଲ। ଆଗକୁ ମଧ୍ୟ ଭଲ ଖେଳି ପଦକ ଆଣିବେ ବୋଲି ଆଶା ରଖିଛନ୍ତି ତାଙ୍କ ସମ୍ପର୍କୀୟ ।
ସୂଚନାଯୋଗ୍ୟ, କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭାଚିଙ୍କୁ ୭-୫ ହରାଇ ସେମିରେ ପ୍ରବେଶ କରିଥିଲେ । ୫୦ କେଜି ବର୍ଗର ୧ନଂ ଖେଳାଳିଙ୍କୁ ହରାଇ କ୍ୱାର୍ଟରରେ ପହଞ୍ଚିଥିବା ଭିନେଶଙ୍କ ମୁକାବିଲା ୟୁକ୍ରେନର ଷ୍ଟାର ଓକସାନାଙ୍କ ସହ ହୋଇଥିଲା । ମହିଳା ୫୦ କେଜି ବର୍ଗରେ ଭାଗ ନେଇଥିବା ଭିନେଶ ପ୍ରି-କ୍ୱାର୍ଟର ଫାଇନାଲରେ ଚ୍ୟାଲେଞ୍ଜ ସାମ୍ନା କରିଥିଲେ । ସେ ପ୍ରଥମ ମ୍ୟାଚରେ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ବିଜେତା ଜାପାନର ସୁସାକିଙ୍କୁ ୩-୨ରେ ହରାଇଥିଲେ ।
ଅଲିମ୍ପିକ୍ସର ଆରମ୍ଭ ୧୮୯୬ରେ ହୋଇଥିଲା । ପ୍ରଥମ ସିଜିନରେ ରେସଲିଂ ସାମିଲ ଥିଲା । କିନ୍ତୁ ୧୯୦୪ରେ କୁସ୍ତିକୁ ରେଗୁଲାର କରାଗଲା । କିନ୍ତୁ ୨୦୦୪ରେ ମହିଳା ରେସଲରଙ୍କୁ ଏଣ୍ଟ୍ରି କରିବାର ସୁଯୋଗ ମିଳିଥିଲା । ଏହାପରେ ଭାରତୀୟ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ୨୦୧୬ରେ ରିୟୋ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । କିନ୍ତୁ ଭିନେଶ ପ୍ୟାରିସ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି ।