ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭାଚିଙ୍କୁ ୭-୫ ହରାଇ ସେମିରେ ପ୍ରବେଶ କରିଛନ୍ତି । ଭିନେଶ ଚଳିତ ଅଲିମ୍ପିକ୍ସରେ ଭାରତର ପ୍ରଥମ ରେସଲର ଭାବେ ୫୦ କେଜି ବର୍ଗର ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି । ତାଙ୍କର ସେମି ଫାଇନାଲ ଲଢ଼େଇ ଆଜି ରାତି ୧୦.୨୫ରେ ଅନୁଷ୍ଠିତ ହେବ ।
୫୦ କେଜି ବର୍ଗର ୧ନଂ ଖେଳାଳିଙ୍କୁ ହରାଇ କ୍ୱାର୍ଟରରେ ପହଞ୍ଚିଥିବା ଭିନେଶଙ୍କ ମୁକାବିଲା ୟୁକ୍ରେନର ଷ୍ଟାର ଓକସାନାଙ୍କ ସହ ହୋଇଥିଲା । ଶେଷ କିଛି ସେକେଣ୍ଡ ପୂର୍ବରୁ ଓକସାନା ଭିନେଶଙ୍କୁ ଆକ୍ରମଣ କରି ୪ ପଏଣ୍ଟ ହାତେଇଥିଲେ । ଭିନେଶ ଆଉ ୨ ପଏଣ୍ଟ ପାଇଥିଲେ । ତେବେ ଓକସାନା ପାଇଥିବା ଶେଷ ୨ ପଏଣ୍ଟକୁ ଭିନେଶ ଚ୍ୟାଲେଞ୍ଜ କରି ଅସଫଳ ହେବାରୁ ଅତିରିକ୍ତ ଗୋଟିଏ ପଏଣ୍ଟ ୟୁକ୍ରେନ ଖେଳାଳିଙ୍କୁ ମିଳିଥିଲା । ହେଲେ ଭିନେଶ ନିଜର ଦମ ଦେଖାଇ ମ୍ୟାଚ୍କୁ ୭-୫ରେ ଜିତି ସେମିରେ ପ୍ରବେଶ କରିଥିଲେ ।
ମହିଳା ୫୦ କେଜି ବର୍ଗରେ ଭାଗ ନେଇଥିବା ଭିନେଶ ପ୍ରି-କ୍ୱାର୍ଟର ଫାଇନାଲରେ ଚ୍ୟାଲେଞ୍ଜ ସାମ୍ନା କରିଥିଲେ । ସେ ପ୍ରଥମ ମ୍ୟାଚରେ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ବିଜେତା ଜାପାନର ସୁସାକିଙ୍କୁ ୩-୨ରେ ହରାଇଥିଲେ । ପୂରା ମ୍ୟାଚ୍ରେ ଭିନେଶ ଡିଫେନ୍ସ କରିଥିଲେ । ଏଥିପାଇଁ ସୁସାକିଙ୍କୁ ୨ଟି ଟେକ୍ନିକାଲ ପଏଣ୍ଟ ମିଳିଥିଲା । ତେବେ ଶେଷ ୧୦ ସେକେଣ୍ଡରେ ଭିନେଶ ଆଟାକ କରି ସୁସାକିଙ୍କୁ ତଳେ ପକାଇ ଦେଇଥିଲେ। ତେଣୁ ତାଙ୍କୁ ୨ ପଏଣ୍ଟ ମିଳିଥିଲା । ଯେହେତୁ ଭିନେଶ ତଳେ ପକାଇ ୨ ପଏଣ୍ଟ ହାସଲ କରିଥିଲେ ।
ସୂଚନାଯୋଗ୍ୟ, ଭିନେଶ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା । ସେ ବିଶ୍ୱ କୁସ୍ତି ଚାମ୍ପିଅନସିପରେ ଅନେକ ମେଡାଲ ନିଜ ନାମରେ କରିଛନ୍ତି ।