ସୁଧୁରୁଛି ବିନୋଦ କାମ୍ବଲିଙ୍କ ସ୍ବାସ୍ଥ୍ୟାବସ୍ଥା, ହସପିଟାଲରେ କଲେ ଡ୍ୟାନ୍ସ : ଭିଡିଓ ଭାଇରଲ
ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ସୁଧୁରୁଛି ବିନୋଦ କାମ୍ବଲିଙ୍କ ସ୍ବାସ୍ଥ୍ୟାବସ୍ଥା । ହସପିଟାଲରେ ଡ୍ୟାନ୍ସ କରୁଥିବାର ଭିଡିଓ ସାମ୍ନାକୁ ଆସିଛି । କିଛିଦିନ ପୂର୍ବରୁ ମହାରାଷ୍ଟ୍ରର ଏକ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ବ୍ରେନରେ ବ୍ଲଡ ଜମା ହୋଇଯାଇଥିବାରୁ ସେ ଠିକ୍ ଭାବେ ଚାଲିବୁଲି ପାରୁନଥିଲେ ।
ଚିକିତ୍ସା ପରେ କାମ୍ବଲିଙ୍କ ସ୍ବାସ୍ଥ୍ୟରେ ଦ୍ରୁତଗତିରେ ସୁଧାର ଆସୁଛି । ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି, ହସପିଟାଲ ବେଡ ନିକଟରେ ଚକ୍ ଦେ ଇଣ୍ଡିଆ ଗୀତ ଗାଇ ଡ୍ୟାନ୍ସ କରୁଛନ୍ତି । ନାଚୁଥିବା ସମୟରେ କ୍ରିକେଟ ସଟ୍ ମଧ୍ୟ ଲଗାଉଛନ୍ତି । ଭିଡିଓରେ କାମ୍ବଲି ବହୁତ ଖୁସି ଏବଂ ଉତ୍ସାହିତ ନଜର ଆସୁଛନ୍ତି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି ।
Vinod Kambli danced in the hospital😀 #VinodKambli pic.twitter.com/uYxnZMbY1u
— Cricket Skyblogs.in (@SkyblogsI) December 31, 2024
ଗତ କିଛିଦିନ ତଳେ ବିନୋଦ କାମ୍ବଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଥିଲା । ହସପିଟାଲର ଡାକ୍ତରଙ୍କ ପାଇଁ ତାଙ୍କ ଜୀବନ ବଞ୍ଚିଛି ବୋଲି ସେ କହିଥିଲେ । ଡାକ୍ତର ଯାହା କହିବେ, ସେୟା କରିବେ ବୋଲି ବିନୋଦ କାମ୍ବଲି କହୁଛନ୍ତି । କ୍ରିକେଟ ଛଡା ନିଜର ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନିଶା ଯୋଗୁଁ ନିଜ କ୍ୟାରିଅର ଖରାପ କରିଦେଇଥିଲେ ।
ସୂଚନାଯୋଗ୍ୟ, ବିନୋଦ କାମ୍ବଲି ଗତବର୍ଷରୁ ବିଭିନ୍ନ ପ୍ରକାର ରୋଗରେ ପୀଡିତ ରହିଛନ୍ତି । କିଛି ବର୍ଷ ପୂର୍ବେ ହାର୍ଟ ଆଟାକ ଆସିଥିଲା । ମୁମ୍ବାଇ ପୋଲିସର ଜଣେ କନଷ୍ଟେବଳ ତାଙ୍କୁ ହସପିଟାଲରେ ନେଇ ଜୀବନ ବଞ୍ଚାଇଥିଲେ । ତେବେ କାମ୍ବଲିଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନାହିଁ । ତେଣୁ ନିକଟରେ ସଚିନ ତେନ୍ଦୁଲକର ତାଙ୍କୁ ଏକ ଏକାଡେମୀର କୋଚ ଭାବେ ନିଯୁକ୍ତ କରିଥିଲେ । ମୁମ୍ବାଇ ଟି୨୦ ଲିଗର ମଧ୍ୟ କୋଚ ହୋଇଥିଲେ । କିନ୍ତୁ ସ୍ୱାସ୍ଥ୍ୟ ଖରାପ ଯୋଗୁଁ କୋଚ୍ ପଦ ଛାଡିଥିଲେ ।
କାମ୍ବଲି ଟିମ୍ ଇଣ୍ଡିଆ ପାଇଁ ଅନେକ ମ୍ୟାଚ ଖେଳିଛନ୍ତି । ବିନୋଦ କାମ୍ବଲି ୧୯୯୧ରୁ ୨୦୦୦ ମଧ୍ୟରେ ୧୭ଟି ଟେଷ୍ଟ ଏବଂ ୧୦୪ ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ୩,୫୬୧ ରନ୍ କରିଛନ୍ତି । ଦିନିକିଆ କ୍ରିକେଟରେ ୨ ଶତକ ଏବଂ ୧୪ ଅର୍ଦ୍ଧଶତକ କରିଥିବା ବେଳେ ୨୪୭୭ ରନ୍ କରିଛନ୍ତି । ବିନୋଦ କାମ୍ବଲି ଟେଷ୍ଟ କ୍ରିକେଟରେ ୪ଟି ଶତକ ୧୦୮୪ ରନ କରିଛନ୍ତି । ଏଥିରେ ଦୁଇଟି ଦ୍ୱିଶତକ ରହିଛି ।