‘ମୁଁ ଜୀବିତ ଅଛି…’, ହସ୍ପିଟାଲରେ ଭର୍ତ୍ତି ହେବା ପରେ ଆସିଲା ବିନୋଦ କାମ୍ବଲିଙ୍କର ପ୍ରଥମ ପ୍ରତିକ୍ରିୟା

ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଶନିବାର ମହାରାଷ୍ଟ୍ରର ଠାଣେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେଠାରେ ଏକ ଡାକ୍ତରୀ ଟିମର ହେପାଜତରେ ସେ ଅଛନ୍ତି । ସ୍ୱାସ୍ଥ୍ୟ ଯାଞ୍ଚରୁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିଛି ।

୫୨ ବର୍ଷୀୟ କାମ୍ବଲିଙ୍କର ଚିକିତ୍ସା କରୁଥିବା ଡାକ୍ତର ବିବେକ ତ୍ରିବେଦୀ କହିଛନ୍ତି, ପୂର୍ବତନ କ୍ରିକେଟର ପ୍ରଥମେ ପରିସ୍ରା ସଂକ୍ରମଣ ଏବଂ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କାମ୍ବଲିଙ୍କର ଭିୱଣ୍ଡିର କାଲେହର ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଆଜି ଜାରି ହୋଇଥିବା ଏକ ଭିଡିଓରେ କାମ୍ବଲି କହିଛନ୍ତି, ‘ମୁଁ ଏବେ ସୁସ୍ଥ ଅନୁଭବ କରୁଛି । ମୁଁ ଏହା (କ୍ରିକେଟ୍) କେବେ ବି ଛାଡ଼ିବି ନାହିଁ । କାରଣ, ମୋର ମନେ ଅଛି, ମୁଁ କେତେ ଶତକ ଏବଂ ଅର୍ଦ୍ଧଶତକ ମାରିଛି । ପରିବାରରେ ଆମେ ତିନି ଜଣ ବାମହାତୀ ଖେଳାଳି । ମୁଁ ସଚିନ ତେନ୍ଦୁଲକରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । କାରଣ, ତାଙ୍କର ଆଶୀର୍ବାଦ ସବୁବେଳେ ମୋ ସହିତ ରହିଛି’ ।

ସଚିନ ତେନ୍ଦୁଲକରଙ୍କ ବିଷୟରେ ସେ କହିଥିଲେ ଯେ ସେ ଲଣ୍ଡନ ଯାଇଛନ୍ତି, କିନ୍ତୁ ସେ ଜାଣିବେ ଏବଂ ଆପଣମାନେ ତାଙ୍କୁ ଜଣାଇବେ । ତେବେ ଏହା ପୂର୍ବରୁ କଥା ହେବା ବେଳେ କାମ୍ବଲି ବହୁତ ଭାବପ୍ରବଣ ନଜର ଆସିଥିଲେ ଏବଂ ଏହି ସମୟରେ ହସ୍ପିଟାଲର ଡାକ୍ତର ଏବଂ ସମସ୍ତ ଫ୍ୟାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ ।

ହସ୍ପିଟାଲ ବେଡରୁ ବିନୋଦ କାମ୍ବଲିଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ଏଥିରେ ସେ ବେଡରେ ଶୋଇଥିବା ବେଳେ ହସୁଥିବାର ଦେଖାଯାଉଛନ୍ତି । ସେ କହିଛନ୍ତି ଯେ ଏଠାରେ ଡାକ୍ତରମାନେ ଥିବାରୁ ମୁଁ ଜୀବିତ ଅଛି । ମୁଁ କେବଳ ଏହା କହିବି ଯେ ସାର୍ (ଡାକ୍ତର) ମୋତେ ଯାହା ବି କହିବେ, ମୁଁ ତାହା କରିବି । ଲୋକମାନେ ଦେଖିବେ, ମୁଁ ସେମାନଙ୍କୁ କ’ଣ ଶିକ୍ଷା ଦେଉଛି ।

ତେବେ ରିପୋର୍ଟ ମୁତାବକ, ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି ।