ନିଶାରେ ପତ୍ନୀଙ୍କୁ ଫ୍ରାଇଂ ଫ୍ୟାନରେ ପିଟିଲେ ବିନୋଦ କାମ୍ବଲି, ଥାନାରେ ମାମଲା ଦାଏର କଲେ ପତ୍ନୀ

ପୁଣି ବିବାଦରେ ଫସିଲେ ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି । ବିନୋକ କାମ୍ବଲି ନିଶାଗ୍ରସ୍ତ ଅବସ୍ଥାରେ ପତ୍ନୀଙ୍କୁ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି । ବିନୋଦଙ୍କ ପତ୍ନୀ ଏଣ୍ଡ୍ରିୟା ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଏହା ଅଭିଯୋଗ କରିଛନ୍ତି । ବାନ୍ଦ୍ରା ପୁଲିସ ବନୋଦ କାମ୍ବଲିଙ୍କ ସ୍ତ୍ରୀ ଏଣ୍ଡ୍ରିୟାଙ୍କ ବୟାନ ଆଧାରରେ ଆଇପିସି ଧାରା ୩୨୪ ଓ ୫୦୪ ଜରିଆରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପତ୍ନୀ ଏଣ୍ଡ୍ରିୟାଙ୍କ ଅଭିଯୋଗ ମୁତାବକ, ମଦ ପିଇ ବିନୋଦ ତାଙ୍କୁ ଗାଳିଗୁଲଜ କରିବା ସହ ନିର୍ଧୁମ ମାଡ଼ ମାରିଛନ୍ତି। ବିନୋଦ ତାଙ୍କୁ ଖାଦ୍ୟ ରୋଷେଇ କରାଯାଉଥିବା ଫ୍ରାଇଂ ପ୍ୟାନ୍ ହ୍ୟାଣ୍ଡେଲରେ ମାଡ଼ ମାରିଛନ୍ତି। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । କେବଳ ସେତିକି ନୁହେଁ କ୍ରିକେଟ ବ୍ୟାଟ୍ରେ ମଧ୍ୟ ବିନୋଦ ତାଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି କାରଣରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସେ କହିଛନ୍ତି। ପୋଲିସ ଏହି ଅଭିଯୋଗକୁ ଭିତ୍ତି କରି ଏକ ପ୍ରାଥମିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୁମ୍ବାଇ ବାନ୍ଦ୍ରା ପୋଲିସ ଏଫଆଇଆର ଦାଖଲ କରିଛି ।

ପୋଲିସ କହିବା ମୁତାବକ, ଗତକାଲି ବିଳମ୍ବିତ ରାତିରେ ନିଶାଶକ୍ତ ଅବସ୍ଥାରେ କାମ୍ବଲି ଘରକୁ ଆସିଥିଲେ। ସେ ତାଙ୍କ ପତ୍ନୀଙ୍କ ସହିତ ନିଜ ୧୨ ବର୍ଷର ପୁଅକୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ପତ୍ନୀ ଏଣ୍ଡ୍ରିୟା ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କିଛି ଶୁଣିନଥିଲେ। ମାରପିଟ୍ ଘଟଣା ପରେ ଏଣ୍ଡ୍ରିୟା ଚିକିତ୍ସା ପାଇଁ ପ୍ରଥମେ ଭାଭା ହସ୍ପିଟାଲ ଯାଇଥିଲେ। ଏହାପରେ ଏଫଆଇଆର ରୁଜୁ କରିବା ପାଇଁ ପୋଲିସ ଷ୍ଟେସନ ପହଞ୍ଚିଥିଲେ।

୧୯୯୧ରେ ନିଜ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ବିନୋଦ କାମ୍ବଲି । ମାତ୍ର ୯ ବର୍ଷ ଖେଳିବା ପରେ କ୍ୟାରିଅର ଶେଷ ହୋଇଯାଇଥିଲା। ବିନୋଦ କାମ୍ବଲି ଭାରତ ପାଇଁ ମୋଟ ୧୦୪ଟି ଦିନିକିଆ ଓ ୧୭ଟି ଟେଷ୍ଟ ମ୍ୟାଚ୍ ଖେଳି ମୋଟ ୩,୫୬୧ ରନ୍ କରିଛନ୍ତି।